ବରଗଡ (ଏଟିଆର ବ୍ୟୁରୋ); ଆଜିଠୁ ଆରମ୍ଭ ହୋଇ ଯାଇଛି ୭୦ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବରଗଡ ସହର ପାଲଟିଛି ମଥୁରା ନଗରୀ ଏବଂ ଆମ୍ବପାଲି ପାଲଟିବ ଗୋପପୁର । ଜିରା ନଇ ପାଲଟିଛି ଯମୁନା । ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ଅଭିନୟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୂରା ବରଗଡ଼ ସହରକୁ ଆକର୍ଷଣୀୟ ତୋରଣ ସହିତ ରଂଗୀନ ଆଲୋକ ତୋରଣ ଓ ରଂଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।
ଉଦଘାଟନୀ ସଂଧ୍ୟାରେ ରାଜକୀୟ ଆଡମ୍ବରରେ ଦେବକୀ-ବାସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଧନୁଯାତ୍ରାକୁ ନେଇ ଅମ୍ବାପାଲି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।