ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାର୍କିଂ ଫି ଆଦାୟକୁ ନେଇ ମଲ କତ୍ତୃପକ୍ଷ ବିଡିଏ ଓ ବିଏମସି ପକ୍ଷରୁ ଜାରି ହୋଇଥିବା ନୋଟିସ ବିରୋଧରେ ହାଇକୋର୍ଟରେ ଚାଲେଞ୍ଜ କରି ଏକ ଷ୍ଟେ ଅର୍ଡର ଆଣିଛନ୍ତି । ତେବେ କିଛି ଦିନ ହେବ ଛୁଟି ଥିବା କାରଣରୁ ଅର୍ଡର କପି ଆମର ହସ୍ତଗତ ହୋଇନାହିଁ । ଅର୍ଡର କପି ହସ୍ତଗତ ହେଲେ ଏହା ଉପରେ ଅନୁଧ୍ୟାନ କରିବା ସହ ହାଇକୋର୍ଟର ଦ୍ୱାରସ୍ଥ ହେବୁ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପଟେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏସପ୍ଲାନେଡ ମଲର ଦୁଇଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।
ମହିଳା ସମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଦିନ ହେବ ଆନ୍ଦୋଳନ ଜାରି ରହିଛି । ଗତ ଶନିବାର ଦିନ ଖବର ସଂଗ୍ରହ କରିବା ନିମନେ ମହିଳା ସାମ୍ବାଦିକ ଜଣକ ନିଜ କ୍ୟାମେରା ସହଯୋଗଙ୍କ ସହ ଏସପ୍ଲାନେଡ ମଲ ଯାଇଥିଲେ । ହେଲେ ସେଠାରେ ମଲର ସୁରକ୍ଷା କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ମଲର ଜଣେ କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ମଧ୍ୟରେ ବନ୍ଦ କରି ଦେଇଥିଲେ । ଏନେଇ ମହିଳା ସାମ୍ବାଦିକ ଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଏ ଘଟଣା ବାବଦରେ ସମ୍ବାଦିକମାନେ ପ୍ରତିବାଦ କରିବା ସହ ଗତକାଲି ସକାଳୁ ମଲ ଆଗରେ ଧାରଣା ଦେବା ଆରମ୍ଭ କରିଛନ୍ତି ।