ଭୁବନେଶ୍ୱର(ଏଟିଆରବ୍ୟୁରୋ): ଦିନକୁ ଦିନ କମିବାରେ ଲାଗିଛି ହାତୀ ସଂଖ୍ୟା । କେତେବେଳେ ବିଦ୍ୟୁତ ଆଘାତରେ ତ’ ପୁଣି କେତେବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇ କେଉଁଠି ନାଁ କେଉଁଠି ହାତୀଙ୍କ ମୃତ୍ୟୁ ହେଉଛି । ବନବିଭାଗ ରେକର୍ଡ କହୁଛି ହାତୀ ମୃତ୍ୟୁ ପଛରେ ରେଳ ଦୁର୍ଘଟଣା ଏକ ପ୍ରମୁଖ କାରଣ । ତେବେ ଏଥିରେ ରୋକ ଲଗାଇବା ଲାଗି ଏବେ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ ।
ଏଥରକ କୌଣସି ବନ ବିଭାଗ କର୍ମଚାରୀ କିମ୍ବା ସ୍ଥାନୀୟ ଲୋକ ନୁହନ୍ତି ବରଂ ହାତୀଙ୍କ ଉପରେ କଡ଼ା ନଜର ରଖିବେ ମହୁମାଛି । ରେଳ ଧାରଣା ପାଖକୁ ହାତୀ ଆସିବା କ୍ଷଣି ପୂରା ଆକ୍ଟିଭ ମୁଡକୁ ଆସିବେ ଏହି ମହୁମାଛି । ଅବିଶ୍ୱାସ ଲାଗୁଥିଲେ ବି କଥାଟା ଏକଦମ ସତ । ହେଲେ ଏଥିରେ କିନ୍ତୁ ପ୍ରକୃତ ମହମାଛି ନୁହନ୍ତି ବରଂ ମହୁମାଛି ଭଳି ଆୱାଜ କରୁଥିବା ଏକ ଯନ୍ତ୍ର ହାତୀଙ୍କ ସୁରକ୍ଷା ଲାଗି ରେଳ ଧାରଣାରେ ବ୍ୟବହାର କରାଯାଉଛି ।
ସରକାରଙ୍କ ନୂଆ ଯୋଜନା ଅନୁସାରେ, ରେଳଧାରଣା କଡରେ ଲାଗିବ ଏହି ମହୁମାଛି ଶବ୍ଦ କରୁଥିବା ମେସିନ୍ । ଟ୍ରେନ ଆସିବା ମାତ୍ରେ ଏହି ମେସିନରୁ ଅଟୋମେଟିକ ମହୁମାଛି ଶବ୍ଦ ହେବ । ଏହି ଶବ୍ଦ ଶୁଣି ଆଉ ହାତୀମାନେ ରେଳ ଟ୍ରାକ ଉପରକୁ ଆସିବେନି ବୋଲି ଆଶା କରାଯାଉଛି । ଯଦି ଏହା ଫଳପଦ୍ର ହୁଏ ତେବେ ନିଶ୍ଚିତ ଭାବେ ରେଳଧାରଣା ଜନିତ ଘଟୁଥିବା ହାତୀ ମୃତ୍ୟୁ ଘଟଣା କ୍ରମଶ ହ୍ରାସ ପାଇବ । ସେପଟେ ଏଥିପାଇଁ ଢେଙ୍କାନାଳ ସଦାଶିବପୁର ଷ୍ଟେସନରେ ଏକ ପାଇଲଟ ପ୍ରୋଜେକ୍ଟ ତିଆରି ହେବ ବୋଲି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି ।
ତାଙ୍କ କହିବା ହେଲା, ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଉ ଏଥିପାଇଁ ରେଳ ବିଭାଗ ଓ ବନ ବିଭାଗ ଉଭୟ ଉଭୟଙ୍କ ଉପରେ ଦୋଷ ଦେବାରେ ଲାଗିଛନ୍ତି । କିନ୍ତୁ ଉଚିତ ପଦକ୍ଷେପ ବେଳକୁ ସବୁ ଝାଡିଝୁଡି ହୋଇପଡୁଛନ୍ତି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ଅନ୍ୟପଟେ ଏହି ମେସିନ ଲଗାଯିବାର ଦାୟୀତ୍ୱ ଝାରସୁଗୁଡା, କେନ୍ଦୁଝର ଓ ଢେଙ୍କାନାଳ ଡିଏଫ୍ଓଙ୍କୁ ଦିଆଯାଇଥିବା ସୂଚନା ମିଳିଛି । ରିପୋର୍ଟ: ସୋମ୍ୟାଶ୍ରୀ ମହାନ୍ତି ।