ଗଞ୍ଜାମ ( ଏଟିଆର ବ୍ୟୁରୋ): ନୂଆ ବସଷ୍ଟାଣ୍ଡରେ ବସ ଚଳାଚଳକୁ ବିରୋଧ କରି ଆଜି ଗଞ୍ଜାମ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ ସେବା ବନ୍ଦ ହୋଇଛି । ସୂଚନା ଅନୁସାରେ ପ୍ରଶାସନ ପକ୍ଷରୁ ହଳଦୀପଦ ବସ ଟିର୍ମିନାଲରୁ ବସ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଥିଲା । ଯାହାକୁ ବିରୋଧ କରିଥିଲା ଘରୋଇ ବସ ମାଲିକ ସଂଘ । ସେଠାରୁ ବସ ଚଳାଚଳ କରିବା ପାଇଁ ଘରୋଇ ବସ ମାଲିକ ସଂଘ ରାଜି ହୋଇ ନଥିଲା ।
ଆଉ ଏକ ନୂଆ ବସ ଷ୍ଟାଣ୍ଡ କରିବା ପାଇଁ ସଂଘ ଦାବି କରିଥିଲା । ଯାହାକୁ ନେଇ ଗତକାଲି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିଲା । ଏନେଇ ଗତକାଲି ପ୍ରଶାସନ ଓ ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା ହୋଇଥିଲା । ମାତ୍ର ଏହି ଆଲୋଚନା ବିଫଳ ହୋଇଛି । ଯାହା ଫଳରେ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି ନୂଆ ବସ ଷ୍ଟାଣ୍ଡ ନିର୍ମାଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ ସେବା ବନ୍ଦ ରହିବ । ଅନ୍ୟପଟେ ଏନେଇ ଆଜି ପ୍ରଶାସନ ପକ୍ଷରୁ ଅଧିକ ସରକାରୀ ବସ ଜିଲ୍ଲାର ବିଭିନ୍ନ ରୁଟରେ ଚାଲିବା ପାଇଁ ବ୍ୟବସ୍ଥା କରାଯାଇଛି ।