ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଟେକ୍ନୋଲଜି ଯେତେ ଆଗଉଛି ଲୋକମାନଙ୍କ ପାଇଁ ସମସ୍ତ କାର୍ଯ୍ୟ ସେତେ ସହଜ ହେଉଛି । ଲୋକମାନେ ଟେକ୍ନୋଲଜିର ସାହାର୍ଯ୍ୟରେ ଗୋଟିଏ ସ୍ଥାନରେ ରହି ନିଜର ସମସ୍ତ ପ୍ରକାରର କାର୍ଯ୍ୟକୁ ଅତି ସହଜରେ ଓ ସ୍ୱଳ୍ପ ସମୟ ମଧ୍ୟରେ କରିପାରୁଛନ୍ତି । ବିଭିନ୍ନ ହୋଟେଲ ଗୁଡିକର ଖାଦ୍ୟ ହେଉ , ଯିବା ଆସିବା କରିବା ପାଇଁ ବିଭିନ୍ନ ଗାଡିର ସୁବିଧା ହେଉ କିମ୍ବା କୌଣସି ସ୍ଥାନ ସମ୍ପର୍କରେ ତଥ୍ୟ ଅତି ସହଜରେ ବ୍ୟକ୍ତିଟିଏ ନିଜ ହାତ ମୁଠାରେ ପାଇ ପାରୁଛି । ଏହି ସବୁ ଦୃଷ୍ଟିକୁ ଆଖିଆଗରେ ରଖି ସ୍ମାଟସିଟି ପକ୍ଷରୁ ଏକ ସିଟି ମୋବାଲ ଫୋନ ଆପ ‘ଭୁବନେଶ୍ୱର ଡଟ୍ ମି’ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମାଧ୍ୟମରେ ଭୁବନେଶ୍ୱରକୁ ବୁଲି ଆସୁଥିବା ପର୍ଯ୍ୟଟକ ଓ ସହରରେ ରହୁଥିବା ବାସିନ୍ଦାଙ୍କୁ ଭୁବନେଶ୍ୱରରେ ଥିବା ସମସ୍ତ ପାର୍କ ଓ ପର୍ଯ୍ୟଟନ ସ୍ଥଳି ସମ୍ପର୍କରେ ଅତି ସହଜରେ ସମସ୍ତ ତଥ୍ୟ ମିଳିପାରିବ ।
ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ ଓ ସହର ବାସୀ ପାର୍କ ଓ ଐତିହ ସ୍ଥଳିଗୁଡିକର ରେଟିଂ ସହ ମତାମତ ଦେଖିପାରିବା ସହ ସେଠାରେ କଣ ସବୁ ସବୁଧା ରହିଛି ତାହା ଜାଣିପାରିବେ । ଅନ୍ୟପଟେ ଏହି ଆପ ହେବା ଫଳରେ କେଉଁ ପାର୍କରେ କି ସମସ୍ୟା ରହିଛି ତାହା ଅଧିକାରୀଙ୍କ ଦୃଷ୍ଟିରେ ପଡିବା ସହିତ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯିବ ବୋଲି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସସିଏଲ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱର ଦେଶର ପ୍ରଥମ ସହର ଯେ ଏହି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରାଯାଉଛି । ପରେ ପରେ ଅନ୍ୟସବୁ ସ୍ମାର୍ଟସିଟିରେ ଆରମ୍ଭ କରାଯିବ ବୋଲି ସୂଚନା ମିଳୁଛି । ଏହି ଆପ୍ ରା ରାଜଧାନୀର ପାର୍କ, ବଜାର, ଐତିହ୍ୟସ୍ଥଳ, ଜଳାଶୟ, ଜଳଧାର, ପରିବହନ ପାଇଁ ବ୍ୟବହୃତ ସ୍ଥାନ ଏବଂ ରାସ୍ତାଗୁଡ଼ିକ ସମ୍ପର୍କିତ ତଥ୍ୟ ଆଦି ରହିବ। ଲୋକଙ୍କ ମତାମତ ଉପରେ ପର୍ୟ୍ୟବସିତ ହେବ ଓ ସମସ୍ତ ଅପ୍ଡେଟ ତଥା ମତାମତକୁ ମୂଳ ଡାଟାବେସରେ ପ୍ରଦର୍ଶିତ କରାଯିବ। ସ୍ମାର୍ଟସିଟି ମିଶନ ଅଧୀନରେ କାର୍ୟ୍ୟ କରୁଥିବା ସ୍ମାର୍ଟସିଟି ଫେଲୋମାନଙ୍କୁ ନେଇ ଗଠିତ ଟିମ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ୟ୍ୟ କରୁଛନ୍ତି। ପିଲାମାନଙ୍କୁ ପାର୍କ ସହିତ ଜଡ଼ିତ ରଖିବା ପାଇଁ ରବିବାର ବିଏସ୍ସିଏଲ ପକ୍ଷରୁ ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କରେ ଏକ ଚିତ୍ରାଙ୍କନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ।