ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସବୁ କ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଦେଖିବାକୁ ମିଳୁଛି । ସବୁ କ୍ଷେତ୍ରରେ ମହିଳାମାନେ ଆଗକୁ ଆସିବା ସହ ପୁଅଙ୍କ ସହ ତାଳ ଦେଇ ଆଗକୁ ବଢୁଛନ୍ତି । ଦେଶର ସୁରକ୍ଷା ବ୍ୟବସ୍ଥା ହେଉ କି ଟ୍ରାଫିକ ପରିଚାଳନା ହେଉ ସବୁ କ୍ଷେତ୍ରରେ ମହିଳାମାନଙ୍କୁ ଦେଖିବାକୁ ମିଳୁଛି । ତେବେ ମହିଳା ଟ୍ରାଫିକ ମାସିକ ଋତୁସ୍ରାବ ସମୟରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ମହିଳା ଟ୍ରାଫିକ କର୍ମଚାରୀଙ୍କ ପାଇଁ ସାନିଟାରୀ ନାପକିନର ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟ୍ରାଫିକ ପୋଲିସ ମହିଳାମାନଙ୍କ ପାଇଁ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନର ଉଦଘାଟନ କରିଛନ୍ତି । ଆମ୍ରି ହସ୍ପିଟାଲ ପକ୍ଷରୁ ଏଜି ଛକରେ ନିୟୋଜିତ ଥିବା ମହିଳା ଟ୍ରାଫିକ ପୁଲିସ କର୍ମୀଙ୍କ ପାଇଁ ଏହି ମେସିନର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଯୋଗ ଦେଇ ମେସିନକୁ ଉଦଘାଟନ କରିଛନ୍ତି । ସେ କହିଛନ୍ତି ଆଗାମୀ ଦିନରେ ଏହି ବ୍ୟବସ୍ଥା ଭୁବନେଶ୍ୱର ଓ କଟକ ପ୍ରତ୍ୟେକ ପୁଲିସ ଷ୍ଟେସନରେ କରାଯିବ । ବର୍ତ୍ତମାନ ଭୁବନେଶ୍ୱରରେ ୬୪ଜଣ ମହିଳା ଟ୍ରାଫିକ ପୋଲିସ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।
ଏହି ଭେଣ୍ଡିଂ ମେସିନ୍ ମାଧ୍ୟମରେ ସେମାନଙ୍କୁ ୨ ଟଙ୍କାରେ ଗୋଟିଏ ସାନିଟାରୀ ପ୍ୟାଡ୍ ମିଳିବ ଏବଂ ଏହାଦ୍ୱାରା ସେମାନେ ବହୁତ ଲାଭ ପାଇପାରିବେ ବୋଲି ଡେପୁଟି କମିସନର ସାଗରିକା ନାଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ। ବିଏମ୍ସି ପକ୍ଷରୁ ୨୦୧୮ରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଓ ଏୟାରପୋର୍ଟରେ ପ୍ୟାଡ୍ ଭେଣ୍ଡିଙ୍ଗ ମେସିନ୍ର ଇନ୍ଷ୍ଟଲ୍ କରାଯାଇଥିଲା। ଏହାବ୍ୟତିତ କାର୍ୟ୍ୟରତ ଥିବା ମହିଳା ପୁଲିସ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଓଡ଼ିଶା ପୁଲିସ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ କ୍ୟାନସର ସଚେତନତା କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି।