କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତକୁ କେଇ ଘଣ୍ଟା ଯାଇନି ବିଜୟ ମହାପାତ୍ର ଦେଇଛନ୍ତି ବଡ ବୟାନ । ବେଦ ପ୍ରକାଶଙ୍କ ପରିବାର ବର୍ଗକୁ ସମବେଦନା ଜଣାଇବା ସହିତ ବେଦଙ୍କ ପ୍ରତି ନ୍ୟାୟ କରାଯାଇନି ବୋଲି କହିଛନ୍ତି । ଯାହା ବର୍ତ୍ତମାନ ସବୁ ଠାରୁ ବଡ ପ୍ରସଙ୍ଗ ପାଲଟିଛି ।
ବିଜୟ କହିଛନ୍ତି ଗତ ୩ ମାସ ହେଲା ବେଦ ଚିକିତ୍ସିତ ହେଉଥିଲେ । ଏମିତିକି ନିର୍ବାଚନ ତାରିଖ ଘୋଷଣା ବେଳକୁ ସେ ଶଯ୍ୟାଶାୟୀ ଥିଲେ ତଥାପି ତାଙ୍କୁ ବିଜେଡି ଟିକେଟ ଦେଇଥିଲା । ବିଜେଡି ତାଙ୍କୁ ଠିଆ କରି ଅନ୍ୟାୟ କରିଛି ବୋଲି ସେ କହିଛନ୍ତି । ବେଦ ପ୍ରକାଶଙ୍କ ଦେହାନ୍ତରେ ସେ ବ୍ୟକ୍ତିଗତ ଭାବେ ମର୍ମାହତ ବୋଲି ବିଜୟ କହିଛନ୍ତି ।
ସୂଚନାଯୋଗ୍ୟ ଆଜି ସକାଳେ ବିଜେଡିର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ବେଦ ୨୦୦୯ ଓ ୨୦୧୪ ରେ ପାଟକୁରାରେ ବିଧାୟକ ହୋଇଥିଲେ । ଚଳିତ ଥର ସେ ବିଜେଡି ଟିକେଟରୁ ପାଟକୁରାରେ ବିଧାୟକ ପ୍ରାର୍ଥୀ ହୋଇଥିଲେ । ସେ ବିଜେପି ନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ । ନିର୍ବାଚନ ନିୟମ ଅନୁଯାୟୀ ପାଟକୁରାରେ ନିର୍ବାଚନକୁ ସ୍ଥଗିତ କରାଯିବ ବୋଲି ସାଧାରଣରେ ଆଲୋଚନା ହେଉଛି ।