ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୁରୀ ସ୍ୱର୍ଗଦ୍ୱାରରୁ ଭାଙ୍ଗିବ ବିଜୁ ବାବୁଙ୍କ ସମାଧୀ । ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ ସ୍ୱର୍ଗଦ୍ୱାରର ବିକାଶ ନିମନ୍ତେ ସେଠାରେ ଥିବା ବିଜୁବାବୁଙ୍କ ସମାଧିସ୍ଥଳୀକୁ ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ୱର୍ଗ ଦ୍ୱାରର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଟଙ୍କାରେ ଶବବାହକମାନଙ୍କ ପାଇଁ ବିଶ୍ରାମ କକ୍ଷ, ବୃକ୍ଷରୋପଣ, ଅସ୍ଥି ସଂଗ୍ରହ ଓ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।
ଏହି କାମ ଆରମ୍ଭର ୬ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ ଏବଂ ଫୋଏନିକ୍ସ ଫାଉଣ୍ଡେସନ୍ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ ।ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁବାବୁ କୋଟି ଓଡିଆଙ୍କ ହୃଦୟରେ ଅଛନ୍ତି । ସ୍ବର୍ଗଦ୍ବାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେ ସବୁ ଏବେ ଓଡିଶାବାସୀଙ୍କ ସେବାରେ ଲାଗିବ । ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ, ପୁରୀ ଜିଲ୍ଲାପାଳ, ଫୋନିକ୍ସ ଫାଉଣ୍ଡସେନର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।