ବାଲେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଦ୍ୱାରା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ । ଯାହାକୁ ନେଇ ଗତକାଲି ସାରା ଦେଶରେ ଦୁଃଖର ଛାୟା ଖେଳି ଯାଇଥିଲା । ତେବେ ଏତେବଡ ଅଘଟଣ ପରେ ମଧ୍ୟ ଚେତା ପଶିଲାନି ବିଦ୍ୟୁତ ବିଭାଗର । ଆଜି ପୁଣି ଏକ ମଟର ସାଇକେଲରେ ୧୧ କେଭି ବିିଦ୍ୟୁତ ତାର ଲାଗି ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଧାମରା ଥାନା ଗୁଆଁଳ ନିକଟରେ । ସୂଚନା ଅନୁସାରେ ଆଜି ସକାଳୁ ଦାଦା ଦୂର୍ଯ୍ୟଧନ ରାଉଳ ଓ ପୁତୁରା ସୁଦର୍ଶନ ଜେନା କୋଇଥଳା ବଜାର ନିକଟରେ ଏକ ବାଇକରେ ଯାଉଥିବା ବେଳେ ତାଙ୍କ ଉପରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିଥିଲା ।
ଯାହାଫଳରେ ସେମାନେ ବିଦ୍ୟୁତ ଆଘାତ ଖାଇ ଛିଟିକି ପଡିଥିଲେ । ମାତ୍ର ମଟର ସାଇକେଲରେ ତାର ଲାଗି ଯିବାରୁ ମଟର ସାଇକେଲଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଆଜି ଭୋର ୪ ଟା ବେଳେ ଏହି ଅଘଟଣ ଘଟିିଛି । ଏନେଇ ସୁଦର୍ଶନ ଜେନା ଥାନାରେ ମାମଲା ରୁଜ୍ଜୁ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ରାସ୍ତାରେ କିଛଇ ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା । ପରେ ଏବେ ପୋଲିସ ହସ୍ତକ୍ଷେପ ପରେ ବିଦ୍ୟୁତ ସଂଯୋଗ ବନ୍ଦ କରାଯିବା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଛି ।