ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ । ଆଜିଠୁ ଆରମ୍ଭ ହେଲା କୁକୁଡା ମରା ଅଭିଯାନ । ସୂଚନା ଅନୁସାରେ ଗତ କିଛି ଦିନ ହେବ ଭୁବନେଶ୍ୱର ଓୟୁଏଟିରେ ପରୀକ୍ଷଣ ପାଇଁ ଥିବା କୁକୁଡାଙ୍କ ଅସ୍ୱଭାବିକ ଭାବେ ମୃତ୍ୟୁ ହେଉଥିଲା । ଏହାକୁ ନଜରରେ ରଖି କୁକୁଡା ମାନଙ୍କର ସାମ୍ପଲକୁ ଭୋପାଳ ସ୍ଥିତ ଟେଷ୍ଟିଂ ଲ୍ୟାବକୁ ପଠାଯାଇଥିଲା । ସେଠାରେ କୁକୁଡା ମାନଙ୍କର ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ଜଣା ପଡିଥଲା । ଏନେଇ ଗତକାଲି ରାଜ୍ୟ ସରକାର ଓୟୁଏଟି ଠାରୁ ୧ କିମି ଭିତରେ ଥିବା ସମସ୍ତ କୁକୁଡାଙ୍କୁ ମାରି ପୋତିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କୁକୁଡା ମରା ଅଭିଯାନରେ ସରକାରଙ୍କ ତରଫରୁ ୧୨ଟି ରାପିଡ ରେସପନ୍ସ ଟିମ ନିଯୁକ୍ତି କରାଯାଇଛି । ଏଥିମଧ୍ୟରୁ ୭ ଟି ଟିମ କୁକୁଡା ମରା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୫ଟି ଟିମ ନିରୀକ୍ଷଣ ଦାୟୀତ୍ୱରେ ରହିବେ । ତେବେ କୁକୁଡା ମାନଙ୍କୁ ମାରି ସେମାନଙ୍କୁ ଗଭୀର ଗାତ କରି ପୋତିବାକୁ କୁହାଯାଇଛି । ଏହା ସହ ନିୟମିତ ବ୍ୟବଧାନରେ କୁକୁଡା ମାନଙ୍କର ରକ୍ତ, ନାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯାଇଛି ।