ସୁନ୍ଦରଗଡ(ଏଟିଆର ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଞ୍ଚଳରେ ଆସନ୍ତା ୧୮ ତାରିଖ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜାରି ରହିବ । ଏନେଇ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ଦୁଇ ଜଣ ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଆସିଆନା କଲୋନିର ବୋଲି ଜଣାପଡିଥିଲା । ଫଳରେ ପ୍ରଥମେ ୧୨ ତାରିଖ ଦିନ ବିଶ୍ରା ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସିଲ୍ କରିଦିଆଯାଇଥିଲା । ଏହା ପରେ ପୁଣି ୧୪ ତାରିଖ ଦିନ ଏହାର ଅବଧି ବୃଦ୍ଧି କରାଯାଇ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା । ତେବେ ଆଜି ପୁଣି ଏହି ଅଞ୍ଚଳକୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଗତକାଳି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାର ସୂଚନା ମିଳିଥିଲା ।
ତେବେ ଆଜି ଘୋଷଣା କରାଯାଇଥିବା କଣ୍ଟେନମେଣ୍ଟ ଅନୁଯାଇ ଏହି କଟକଣା ୧୮ ତାରିଖ ଦିନ ସଢେ ୧୧ଟା ପର୍ଯ୍ୟନ୍ତ ଲାଗୁ ରହିବ । ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାରେ ଲାଗିପଡିଛି । ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରାକାରର କଟକଣା ଜାରି କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକ ମାନଙ୍କୁ ଘରେ ରହିବା ପାଇଁ କୁହାଯାଉଛି । ରାଜ୍ୟରେ ମୋଟ ୬୦ ଜଣେ ଏହା ଭାଇରସର ଶିକାର ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଜଣଙ୍କର ମୃତ୍ୟୁ ହୋଇଛି ।