ବିଜେପୁର ( ଏଟିଆର ବ୍ୟୁରୋ): ବିଜେପୁର ଉପ ନିର୍ବାଚନ ପାଇଁ ଆଜି ରହିଛି ନାମାଙ୍କନର ଶେଷ ଦିନ । ଶେଷ ଦିନରେ ଆଜି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ବିଜେପି ପ୍ରାର୍ଥୀ ମଧ୍ୟ ଆଜି ନାମାଙ୍କନ ଭରିବେ ବୋଲି ସୂଚନା ରହିଛି । ପ୍ରଥମେ ବିଜେଡି ପ୍ରାର୍ଥୀ ରୀତା ସାହୁ ଦଳୀୟ କର୍ମୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଛନ୍ତି ।
ସେହଭଳି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନିଜ ସମର୍ଥକଙ୍କ ସହିତ ଏକ ବିରାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ଦୁଇ ସେଟର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀ ସନତ ଗଡତିଆ ଆଜି ନାମାଙ୍କନ ଭରିବାରେ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆଜି ସକାଳ ଠାରୁ ପଦ୍ମପୁରରେ ନେତାଙ୍କ ଭିଡ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ୨୦୧୯ ନିର୍ବାଚନରେ ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ବିଜେପୁରରୁ ବାଜି ମଧ୍ୟ ମାରିଥିଲେ ନବୀନ । ପରେ ହିଞ୍ଜିଳି ଏବଂ ବିଜେପୁରରୁ ବିଜୟ ଲାଭ କରିଥିବା ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଏହାପରେ ଏହି ନିର୍ବାଚନ ମଣ୍ଡଳିର ଆସନ ଖାଲି ପଡିଥିଲା । ତେଣୁ ଏହି ଆସନ ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଏହି ଆସନ ପାଇଁ ଦେଢ ବର୍ଷ ଭିତରେ ତୃତୀୟ ଥର ନିର୍ବାଚନ ଅନୁଷ୍ଠିତ ହେବ ।