ଗଞ୍ଜାମ (ଏଟିଆର ବ୍ୟୁରୋ): କିଛି ଦିନ ତଳେ ଏସପିଙ୍କ ଅଫିସ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ମୃତ୍ୟୁ ଘଟିଛି । ପୁଅର ଗିରଫ ପ୍ରତିବାଦରେ ଏସପିଙ୍କୁ ଦେଖା କରିବାକୁ ଯାଇଥିବା ମିନାକ୍ଷୀ ଏସପିଙ୍କର ଦେଖା ନପାଇବାରୁ ଏସପିଙ୍କ ଅଫିସ ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗୁଥିବାର ଦେଖି ସୁରକ୍ଷାକର୍ମୀମାନେ ତାଙ୍କୁ ଉଦ୍ଧାର କରିବା ସହ ଏମକେସିଜି ମେଡିକାଲରେ ଭର୍ତ୍ତି କରାଇଥିଲେ ।
ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ପଠାଯିବା ସହ ଚିକିତ୍ସା କରାଯାଇଥିଲା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବାରୁ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତେବେ ଆଜି ସେଠାରେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନାନୁଯାୟୀ, ଗତ ଜାନୁଆରୀ ୨୮ ତାରିଖ ଦିନ ମିନାକ୍ଷୀଙ୍କ ଘର ସମ୍ମୁଖରେ ଗାଡି ପାର୍କିଂ କରିବାକୁ ନେଇ ତାଙ୍କ ପୁଅଙ୍କର ଅନ୍ୟ ଗୋଷ୍ଠୀର ୪ଜଣ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା । ତେବେ ଗଣ୍ଡଗୋଳ ସମୟର ଭିଡିଓ ଭାଇରାଲ ହେବା ଫଳରେ ଉଭୟ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।
ପୋଲିସ ଏହି ମାମଲାର ତଦନ୍ତ କରିବା ସହ ୫ଜଣକୁ ଗିରଫ କରିଥିଲା । ଗିରଫ ହେବା ପରେ ମିନାକ୍ଷୀ ଏହି ମାମଲା ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ । ତେବେ ଦୀର୍ଘ ସମୟର ଅପେକ୍ଷା ପରେ ବି ଏସିପିଙ୍କର ସାକ୍ଷାତ ନମିଳିବାରୁ ମିନାକ୍ଷୀ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।