ଭୁବନେଶ୍ୱର ( ଏଟିଆର ବ୍ୟୁରୋ ): ଗତ ୧ ତାରିଖରେ ଅନୁଭବ ମହାନ୍ତିଙ୍କ ଦ୍ୱାରା ଅଭିନୀତ ବିଜୁ ବାବୁ ଚଳଚ୍ଚିତ୍ର ମୁ୍କ୍ତିଲାଭ କରିଥିଲା । ଯାହାକୁ ନେଇ ବର୍ତ୍ତମାନ ରାଜନୀତି ତେଜିବାରେ ଲାଗିଛି । ଗୋଟିଏ ପଟେ ସିନେମା ମୁକ୍ତି ଲାଭ କରିବା ପରେ ଅନ୍ୟ ପଟେ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ବିଜୁ ବାବୁଙ୍କ ନାଁରେ ଭୋଟରଙ୍କୂୁ ପ୍ରଭାବିତ କରିବା ପାଇଁ ଏହା ବିଜେଡିର ଗୋଟେ ମସୁଧା । ତେଣୁ ଚଳଚ୍ଚିତ୍ରକୁ ତୁରନ୍ତ ବନ୍ଦ କରିବାକୁ ବିଜେପିର ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହି ଚଳଚ୍ଚିତ୍ର ଆଚରଣ ବିଧିର ଉଲ୍ଲଘନ କରୁଛି ।
ବିଜେପି ଅଭିଯୋଗ କରିଛି ଯେ ଚଳଚ୍ଚିତ୍ରଟିର ନାମ ବିଜୁ ବାବୁ ରହିଥିବା ବେଳେ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ହେଉଛନ୍ତି ବିଜେଡିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି । ତେଣୁ ଚଳଚ୍ଚିତ୍ର କୁ ତୁରନ୍ତ ଓଡିଶାର ସମସ୍ତ ପ୍ରେକ୍ଷାଳୟରେ ବନ୍ଦ କରିବାକୁ ଦଳ ଦାବି କରିଛି । ଅନ୍ୟପଟେ ଚଳଚିତ୍ର ଟି ବିଜୁ ବାବୁଙ୍କ ନାମକୁ ନେଇ ନିର୍ମାଣ ହୋଇଥିବା ବେଳେ କାହାଣୀରେ କିନ୍ତୁ ବିଜୁ ବାବୁଙ୍କର କୌଣସି ଆଦର୍ଶ ଦେଖିବାକୁ ମିଳିନାହିଁ ବୋଲି ଜଣେ ବରିଷ୍ଠ ସିନେ ସମୀକ୍ଷକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି । ବିଜୁ ବାବୁଙ୍କ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିବା ପ୍ରଯୋଜନା ସସ୍ଥା ଦାବି କରୁଥିଲେ ସୁଦ୍ଧା ଏଥିରେ ବିଜୁ ବାବୁଙ୍କର ପ୍ରକୃତ କାହାଣୀ ଦେଖିବାକୁ ମିଳିନି ବୋଲି ଚଳଚ୍ଚିତ୍ର ଦେଖି ଫେରିଥିବା କିଛି ଦର୍ଶକ ମତ ରଖିଛନ୍ତି ।