ପୁରୀ ( ଏଟିଆର ବ୍ୟୁରୋ): ସତ୍ୟବାଦୀ ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର କୁଆଡେ ଗଲେ ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବୁଥରେ ପସି ଇଭିଏମ ମେସିନ ଭାଙ୍ଗିବା ସହିତ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିବା ଅପରାଧରେ ଏବେ ପୋଲିସ ତାଙ୍କୁ ଖୋଜୁଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗତ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଚାଲିଥିବା ବେଳେ ଓମପ୍ରକାଶ କଣାସବ୍ଲକ ବୀରକେଶରପୁର ବଳଭଦ୍ର ନୋଡାଲ ହାଇସ୍କୁଲରେ ବୁଥରେ ପସି ଇଭିଏମ ଭାଙ୍ଗିବା ସହ ମାରପିଟ କରିଥିବା ଅଭିଯୋଗ ହୋଇଥିଲା ।
ଏନେଇ ଗଡିଶାଗୋଦା ଥାନାରେ ଅଭିଯୋଗ ହୋଇଥିଲା । ଯେଉଁ ଅଭିଯୋଗକୁ ଭିତ୍ତି କରି ପୋଲିସ ଓମ ପ୍ରକାଶଙ୍କୁ ଖୋଜୁଛି । ଏମିତି କି ପୋଲିସ ପୁରୀ, କଟକ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି । ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଓମଙ୍କୁ ପାଇବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ଏ ନେଇ ବିଜେପି ଜିଲ୍ଲା ସଭାପତି କୃଷ୍ଣ ଜଗଦେବ ଏକ ସାମ୍ବାଦିକ ସମ୍ମିଳନୀରେ ଓମ ଇଭିଏମ ଭାଙ୍ଗିନଥିବା କହିଛନ୍ତି । ତେବେ ପୋଲିସ କାହା ଚାପରେ ଏମତି ମାମଲା ରୁଜୁ କରିଛି ବୋଲି ସେ କହିଛନ୍ତି ।
ତେବେ ଏପଟେ ଘଟଣାରେ କିଛି ନୂଆ ମୋଡ ଆସିଛି ଓମ୍ ଏନେଇ ଆଜି ଆତ୍ମସମର୍ପଣ କରି ପାରନ୍ତି ବୋଲି ସୂଚନା ମିଳୁଛି । ତାଙ୍କ ନାମରେ ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରୁଛନ୍ତି । ଘଟଣା ଦିନ କିଛି ଲୋକ ଏକ ନିଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ବାଧ୍ୟ କରୁଥିଲେ ଯାହାକୁ ସେ ବିରୋଧ କରିବାରୁ ତାଙ୍କ ନାମରେ ଏମିିତି ଅଭିଯୋଗ ହୋଇଥିବା ସେ କୁଆଡେ କହୁଛନ୍ତି ।