ଭୁବନେଶ୍ୱର( ଏଟିଆର ବ୍ୟୁରୋ): ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଆଜି ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳର ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ମୁଖପାତ୍ର ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଦାମ ରାଉତ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜୟ ମହାପାତ୍ର ବରିଷ୍ଠ ନେତା ଶଶିଭୂଷଣ ହରିଚନ୍ଦନ ପ୍ରମୁଖଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି ।
ଏଥିରେ କୃଷି, ନିଯୁକ୍ତି ଓ ମହିଳାଙ୍କୁ ଅଧିକ ଗରୁତ୍ୱ ଦିଆଯାଇଛି । ସଂକଳ୍ପ ପତ୍ରରେ ଚିଟ ଫଣ୍ଡ ଠକକୁ ଦଣ୍ଡ ସହିତ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଦଳ ପ୍ରତିଶୃତି ଦେଇଛି । ଏଥର ଓଡିଶାରୁ ଦାରିଦ୍ର ଦୁରୀକରଣ, ମହିଳା ସ୍ୱରୋଜଗାର ବ୍ୟବସ୍ଥା, ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନକୁ ଗରୁତ୍ୱ ଦେଇଛି । ସେହିଭଳି ଭୁବନେଶ୍ୱରରୁ କଟକକୁ ମେଟ୍ରୋ ଟ୍ରେନ୍ ଚଳାଚଳ, ପିଏନ୍ କିଶାନ ଯୋଜନାରେ ୪୫ ଲକ୍ଷ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିବ । ଏଥି ସହିତ ଦଳ ଏକ ବଡ ଘୋଷଣା କରିଛି ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ।
ସେହିଭଳି ୨୦୨୨ ସୁଦ୍ଧା ପ୍ରତ୍ୟକ ଘରକୁ ପାଣି , ବିଜୁଳି ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦଳ ପ୍ରତିଶୃତି ଦେଇଛି । ଏହା ସହିତ ଆଦିବାସୀ ମାନଙ୍କୁ ଜମି ପଟ୍ଟା ବଣ୍ଟନ ସହିତ ୩ ମାସ ମଧ୍ୟରେ ପେଶା ଆଇନ ଲାଗୁ କରିବାକୁ ଦଳ ସଂକଳ୍ପ କରିଛି । ସେହିଭଳି ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ପିଲାଙ୍କୁ ୂସ୍କିଲଡେଭଲପ ପ୍ରଦାନ କରିବ ବୋଲି ଦଳ ସଂକଳ୍ପ ପତ୍ରରେ ପ୍ରକାଶ କରିଛି । ଏଥିସମେତ ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ଦଳ ଘୋଷଣା କରିଛି । ଏହି ଅବସରରେ ଶାହା ତାଙ୍କ ଭାଷଣରେ କହିଛନ୍ତି ଓଡିଶା ପ୍ରାକୃତିକ ସଂପଦରେ ଭରପୁର ଯାହାକୁ ନବୀନ ଆବିଷ୍କାର କରିନାହାନ୍ତି । ନବୀନ ସରକାର ଶାସନ କଂଗ୍ରେସ ଠାରୁ ମଧ୍ୟ ନିକୃଷ୍ଟ । ବିଜେଡି ଖଣି ମାଫିଆ ଓ ଚିଟ୍ ଫଣ୍ଡ ଠକଙ୍କୁ ଟିକେଟ ଦେଇଛି ।