ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମହିଳା ସଶକ୍ତିକରଣ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଢ଼ଙ୍ଗୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପୋଲ ଖୋଲିଛନ୍ତି ଅପରାଜିତା । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସହିତ ରାଜ୍ୟ ସରକାରଙ୍କ ପ୍ରଶ୍ନବାଣରେ ସିଧା ଆକ୍ରମଣ କରିଛନ୍ତି ଅପରାଜିତା ଷଢ଼ଙ୍ଗୀ ।
ଆସନ୍ତା ୫ ତାରିଖରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ରାଶି ବାଂଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ବିଶାଳ ସମାବେଶ କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜେଡି । ହେଲେ ତା ପୂର୍ବରୁ ସରକାରଙ୍କୁ ନିଶାନା କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ତଥ୍ୟ ଦେଇ ଦର୍ଶାଇଛନ୍ତି , ରାଜ୍ୟରେ କେମିତି ଚାଲିଛି ମହିଳା ସଶକ୍ତିକରଣ । ଅପରାଜିତା କହିଛନ୍ତି ରାଜ୍ୟର ମହିଳାଙ୍କ ପାଇଁ କେବଳ ମିଶନ ଶକ୍ତି ଗଢ଼ିଚନ୍ତି ସରକାର । ହେଲେ ଏହା ମହିଳାଙ୍କ ବିକାଶ ବା ମହିଳା ସଶକ୍ତିକରଣ ପାଇଁ ଯଥେଷ୍ଟ ନୁହେଁ । ମୋଟାମୋଟି ଭାବେ କହିବାକୁ ଗଲେ, ମହିଳାଙ୍କ ସ୍ୱାବଲମ୍ବୀ ଦିଗରେ ରାଜ୍ୟ ସରକାର ବିଲକୁଲ ସିରିୟସ ନାହାଁନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଲଘୁ ଉଦ୍ୟୋଗ ଦିଗରେ ନବୀନ ସରକାର ଫେଲ ମାରିଛନ୍ତି । ଫଳରେ ପଲ୍ଲୀରେ ରହୁଥିବା ମହିଳାଟିଏ ନିଜେ କିଛି କରିପାରୁ ନାହିଁ । ଲଘୁ ଉଦ୍ୟୋଗ ଦ୍ୱାରା ମହିଳା ଦୁଇ ପଇସା ରୋଜଗାର କରି ପାରନ୍ତା, ହେଲେ ସରକାରଙ୍କ ପ୍ରୋତ୍ସାହନତା ଅଭାବରୁ ଏହା ହୋଇପାରୁ ନାହିଁ । ଠିକ ସେମିତି ଦିନେ ଦି ଦିନରେ ମନଇଛା ଯୋଜନା ନହୋଇ ବରଂ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ଯୋଜନା ତିଆରି ହେଉ ବୋଲି କହିଛନ୍ତି ଅପରାଜିିତା ।
ଅପରାଜିତା ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଗଢ଼ି ଉଠିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱାସ୍ଥ୍ୟ ଭଲ ନାହିଁ । ସେ କହିଛନ୍ତି ଗାଁ ଲୋକଙ୍କ ସହ ମିଶିଛି, ଗାଁରେ ବୁଲି ରିସର୍ଚ କରିଛି । ନାବାର୍ଡର ତଥ୍ୟ କହୁଛି ୨୦୧୩ରେ ରାଜ୍ୟରେ ୫ଲକ୍ଷ ୨୩ ହଜାର ଥିଲା ଏସଏଚଜି ଥିବା ବେଳେ ୨୦୧୬-୧୭ରେ ଏହା ୪ଲକ୍ଷ ୩୧ହଜାରକୁ ଖସି ଆସିଛି । ଠିକ ସେମିିତି ଏଗୁଡିକ ମଧ୍ୟରୁ ସେଥିରୁ ମାତ୍ର ୭୨ ହଜାର ଗୃପକୁ ବ୍ୟାଙ୍କରୁ ଋଣ ମିଳିଛିି । ତେଣୁ ଏସଏଚଜିକୁ ଗୁଡିକର ଅବସ୍ଥା କଣ ଥିବ ତାହା ଅନୁମାନ କରାଯାଇପାରେ ।
ଆମ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୬୨୭ କୋଟି ଟଙ୍କା ଦିଆଯାଇଛି । ଯେଉଁଥିରୁ ପ୍ରତି ଏସଏଚଜି ମାତ୍ର ୧୪ହଜାର ୫୪୧ ଟଙ୍କା ସେଭିଙ୍ଗ କରିପାରୁଛନ୍ତି । ତେବେ ଏହି ଡାଟାକୁ ପଡୋଶୀ ରାଜ୍ୟ ସହ ତୁଳନା କଲେ ଲାଜ ଲାଗିବ ବୋଲି କହିଛନ୍ତି ସେ । କାରଣ ପଶ୍ଚିମବଙ୍ଗରେ ମହିଳାମାନଙ୍କର ସେଭିଙ୍ଗ ୨୬ହଜାରରୁ ଅଧିକ ଥିବା ବେଳେ ଆନ୍ଧ୍ରରେ ଏହା ୬୨ହଜାର ୩୪୩ଟଙ୍କା । ତେଣୁ ସରକାର ଏହାର କ୍ୱାଲିଟି ଦିଗରେ ଧ୍ୟାନ ଦେଉନଥିବା କହିଛନ୍ତି ଅପରାଜିତା । ଏହାସହ ଓଡିଶା ବାସୀ ମଧ୍ୟ ନିଜ ଆତ୍ମ ସମୀକ୍ଷା କରନ୍ତୁ ।
ଶେଷରେ ରାଜ୍ୟରେ କେତେ ମହିଳାଙ୍କାର ବ୍ୟାଙ୍କ ଆକାଉଂଟ ରହିଛି ତାହାର ଡାଟା ବି ଦେଇଛନ୍ତି ସେ । ଓଡିଶାରେ ମାତ୍ର ୫୬ ପ୍ରତିଶତ ମହିଳା ହିଁ ବ୍ୟାଙ୍କ ଆକାଉଂଟ ଖୋଲିଛନ୍ତି ଓ ଏହା ଜନଧନ ଯୋଜନା ପାଇଁ ହିଁ ଏତିକି ବଢ଼ି ପାରିଛି ବୋଲି ଅପରାଜିତା କହିଛନ୍ତି । ତେବେ କେରଳରେ ଏହା ୭୧ ପ୍ରତିଶତ ଥିଲା ବେଳେ ଓଡିଶା ମହିଳାଙ୍କର ବ୍ୟାଙ୍କ ଆକାଉଂଟ କାହିଁକି କମ୍ ବୋଲି ଅପରାଜିତା ତଥ୍ୟ ଦେଇଉଛନ୍ତି ।