ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନୂଆ ଭେଇକିଲ ଆକ୍ଟ ଅନୁସାରେ ଏବେ ସାରା ଦେଶରେ ଟ୍ରାଫିକ ନିୟମ କଡାକଡି ହୋଇଛି । ଗାଡି ଚଲାରେ ଟିକେ ଓଲମ ବିଲମ ହେଲେ ପଡୁଛି ଫାଇନ । ଆଉ ଯଦି କାଗଜ ପତ୍ର ଠିକ ନାହିଁ ତ କଥା ସରିଲା । ସରକାରଙ୍କ ଏହି ନୂଆ ନିୟମକୁ ନେଇ ଗାଡି ଚାଳକ ଏବେ ଛାନିଆ । ଖାଲି ଯେ ସାଧାରଣ ଲୋକ ଏହି ତଣ୍ଡ ଭୋଗୁଛନ୍ତି ତା ନୁହେଁ ସରକାରୀ ଗାଡିକୁ ବି ଦେବାକୁ ପଡୁଛି ଫାଇନ ।
ଗତକାଲି ଜଣେ ଅଟୋଚାଳକଙ୍କ ଉପରେ୪୭ ହଜାର ଟଙ୍କା ଜରିମାନା ଲାଗିଥିଲା । ଯାହାକୁ ନେଇ ଗତକାଲି ଠାରୁ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ବିଏମସି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗାଡିକୁ ୧୫ ହଜାର ଟଙ୍କା ଫାଇନ୍ କରିଛି ଟ୍ରାଫିକ । ପରମିଟ୍ ନଥିବାରୁ ୧୦ ହଜାର ଟଙ୍କା ଓ ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଟଙ୍କା ଫାଇନ କଟା ହୋଇଛି । ନାଲକୋ ଛକ ଠାରେ ଏହି ଫାଇନ କଟା ଯାଇଥିବା ସୂଚନା ମଳିଛି ।
ସୂଚନାଯୋଗ୍ୟ ଗତ ୧ ତାରିଖ ଠାରୁ ଦେଶରେ ଲାଗୁ ହୋଇଛି ଏହି ନୂଆ ନିୟମ । ପ୍ରଥମ ଦୁଇଦିନ ସାଧାରଣ ଲୋକଙ୍କୁ ଏନେଇ ସଚେତନ କରାଯାଇଥିବା ବେଳେ ୩ ଦିନ ହେଲା ପୁରା ଧରପଗଡ ଚାଲିଛି । ପୂର୍ବ ଅପେକ୍ଷା ଏବେ ୧୦ ଗୁଣାରୁ ଅଧିକ ଟଙ୍କା ଏବେ ଫାଇନ ଦେବାକୁ ପଡୁଛି ।