ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଗାଇଡ୍ ଲାଇନ୍ ଜାରି କରାଯାଉଛି । ତେବେ ଏହାରି ଭିତରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସଂକ୍ରମିତଙ୍କ ପାଇଁ ଏକ ନୂଆ ଏସଓପି ଜାରି କରାଯାଇଛି । କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଯେଉଁ ରୋଗୀଙ୍କ ଶରୀରରେ ଲକ୍ଷଣ ଦେଖାଯାଉ ନାହିଁ କିମ୍ବା ଆଂଶିକ ଲକ୍ଷଣ ଦେଖାଯାଉଛି ସେମାନେ ଆଉ ହସ୍ପିଟାଲ ଯିବେ ନାହିଁ । ସଂକ୍ରମିତ ନିଜ ଘରେ ରହି ହେମ୍ ଆଇସୋଲେସନ୍ ଚିକିତ୍ସିତ ହେବେ । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଅନୁଯାଇ ବସ୍ତି ଅଞ୍ଚଳକୁ ଛାଡି ଦେଇ ବାକି ଅଞ୍ଚଳରେ ଏହି ନୂଆ ଏସ୍ଓପି ଲାଗୁ ହେବ । ଲକ୍ଷଣ ନଥିଲେ ବା ଆଂଶିକ ଲକ୍ଷଣ ଥିଲେ ସଂକ୍ରମିତଙ୍କୁ ଘରେ ରହିବାକୁ ଅନୁମତି ଦିଆଯିବ । ଏଥିପାଇଁ ନିଜ ଘରେ ହୋମ୍ ଆଇସୋଲେସନ୍ ପାଇଁ ବ୍ୟବସ୍ଥା ଥିବା ଆବଶ୍ୟକ । ତେବେ କରୋନାର ଚିକିତ୍ସା କରୁଥିବା ଡାକ୍ତର ରୋଗୀକୁ ଯାଞ୍ଚ ପରେ ଲକ୍ଷଣହୀନ ବା ଆଂଶିକ ଲକ୍ଷଣ ଥିବା ପ୍ରମାଣପତ୍ର ଦେବା ପରେ ହିଁ ତାଙ୍କୁ ଘରେ ରହିବାକୁ ଅନୁମତି ମିଳିପାରିବ।
ସଂକ୍ରମିତ ବ୍ୟକ୍ତି ହୋମ୍ ଆଇସୋଲେସନ୍ରେ ରହିବା ସହ ତାଙ୍କ ପୂରା ପରିବାର ହୋମ୍ କ୍ୱାରେଣ୍ଟାଇନ୍ରେ ରହିବେ। ଏଥିପାଇଁ ଆବଶ୍ୟକ ସୁବିଧା ଅଛି କି ନା, ତାକୁ ଯାଞ୍ଚ ପରେ ରହିବାକୁ ସର୍ତ୍ତମୂଳକ ଅନୁମତି ମିଳିବ। ସଂକ୍ରମିତଙ୍କ ଚିକିତ୍ସା ଦାୟିତ୍ୱରେ ଜଣେ କେୟାର ଗେଭର୍ ରହିବେ। କୋଭିଡ୍ ହସ୍ପିଟାଲ ସହ ଯୋଗାଯୋଗରେ ରହି କେୟାର ଗିଭର୍ ୨୪ଘଣ୍ଟିଆ ରୋଗୀଙ୍କ ଚିକିତ୍ସା ଦାୟିତ୍ୱ ବୁଝିବେ। ସଂକ୍ରମିତ ମଧ୍ୟ ନିଜ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ନିୟମିତ ବିଏମସିକୁ ଅବଗତ କରିବେ । ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଏଚ୍ଆଇଭି, କ୍ୟାନସର ଓ କୌଣସି ଅଙ୍ଗ ପ୍ରତିରୋପଣ ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ଅନୁମତି ଦିଆଯିବ ନାହିଁ।
ସେହିଭଳି ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ, ଫୁସଫୁସ୍, ବୃକକ୍ ଓ ଯକୃତ ଜନିତ ରୋଗରେ ଆକ୍ରାନ୍ତ ୬୦ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ହେଲେ ଘରେ ରହି ଚିକିତ୍ସା ପାଇଁ ଅନୁମତି ଦିଆଯିବନି । କରୋନା ସଂକ୍ରମିତଙ୍କ ହୋମ୍ ଆଇସୋଲେସନ୍ ରହି ଚିକିତ୍ସା ପାଇଁ ବିଏମ୍ସି ଗାଇଡଲାଇନ୍ ଆଣିଛି। କରୋନା ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ବେଳେ ବିଏମସି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବ। ଘରେ ରହିବେ ଚିକିତ୍ସା ହେବେ କି ହସ୍ପିଟାଲ ଯିବେ ବୋଲି ପଚାରିବା ପରେ ବିଏମସି ପକ୍ଷରୁ ପଦକ୍ଷେପ ନିଆଯିବ। ହୋମ୍ ଆଇସୋଲେସନ୍ରେ ରହିବାକୁ ଇଚ୍ଛା କଲେ ବିଏମସିର ସଂପୃକ୍ତ ଜୋନ୍ରେ ଥିବା ରାପିଡ୍ ରେସପନ୍ସ ଟିମ୍ ତାଙ୍କ ଘରକୁ ଯାଞ୍ଚ କରିବାକୁ ଯିବେ। ହୋମ୍ ଆଇସୋଲେସନ୍ ପାଇଁ ସମସ୍ତ ସୁବିଧା ଥିଲେ ଆରଆରଟି ଟିମ୍ ବିଏମସି ନୋଡାଲ ଅଫିସରଙ୍କୁ ଏହା ଜଣାଇବ।
ଆକ୍ରାନ୍ତଙ୍କ ଦାୟିତ୍ୱରେ ପରିବାରରୁ ଜଣେ କେୟାର ଗିଭର ଭାବେ ନିୟୋଜିତ ହେବେ। ସମସ୍ତ ନିୟମକୁ କଡାକଡି ଭାବେ ମାନିବା ସର୍ତ୍ତରେ ତାଙ୍କୁ ଘରେ ରହିବାକୁ ଅନୁମତି ଦିଆଯିବ । ନୋଡାଲ ଅଫିସରଙ୍କ ଅନୁମତି ମିଳିବା ପରେ ଘର ବାହାରେ ଏକ ସ୍ୱତନ୍ତ୍ର ଷ୍ଟିକର୍ ଲଗାଯିବ। ଆକ୍ରାନ୍ତ ଓ ତାଙ୍କ ପରିବାରକୁ ନୈତିକ ସାହସ ଦେବାକୁ ପାଖ ପଡୋଶୀଙ୍କୁ ବିଏମସି ପକ୍ଷରୁ ଏକ ଅନୁରୋଧପତ୍ର ବଣ୍ଟାଯିବ।
୧୯୨୯ ପକ୍ଷରୁ ନିୟମିତ ହୋମ୍ ଆଇସୋଲେସନ୍ରେ ରହୁଥିବା ସଂକ୍ରମିତ ଓ ତାଙ୍କ ପରିବାର ପାଖକୁ ଫୋନ୍ ଯିବ। ସେମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବେ। ଯଦି କୌଣସି ସମୟରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ବିଗିଡିଲା ବା କୌଣସି ଲକ୍ଷଣ ଦେଖା ଦେଲା ତାଙ୍କ ପରିବାର ଲୋକେ ତୁରନ୍ତ ୧୯୨୯କୁ ଫୋନ୍ କରିବେ। ତେବେ ଡାକ୍ତରଙ୍କ ପରାମର୍ଶ ପରେ ଆକ୍ରାନ୍ତଙ୍କ ଦାୟିତ୍ୱରେ ଥିବା କେୟାର ଗିଭର୍ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଖାଇବେ ବୋଲି ବିଏମସି ପକ୍ଷରୁ ଜାରି ଏସ୍ଓପିରେ କୁହାଯାଇଛି। ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୫୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ହଜାର ୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୪୭୫ଟି ସକ୍ରିୟ କେସ୍ ରହିଛି । ସେହିଭଲି ରାଜ୍ୟରେ ୬୧ ଜଣଙ୍କ ଜୀବନ ନେଲାଣି କରୋନା ମହାମାରୀ ।