ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ସାରା ଦେଶ କିଭଳି ଖୋଲା ମଳମୁକ୍ତ ହେବ ସେନେଇ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଉଭୟ ତତ୍ପର ହୋଇ ଉଠିଛନ୍ତି । ତେବେ ଏହି ଭିତରେ ଆଉ ଗୋଟିଏ ପାଦ ଆଗକୁ ଯାଇ କଠୋର ହୋଇଛି ବିଏମସି । ଏବେ ରାଜଧାନୀ କିଭଳି ଖୋଲା ଶୌଚ ମୁକ୍ତ ହେବ ସେନେଇ ଆରମ୍ଭ ହୋଇଛି ଧରପଗଡ । ଏମିତି କି ଏକ ସ୍ୱତନ୍ତ୍ର ସ୍କାଡ ଗଠନ କରାଯିବ । ଯେଉଁମାନେ ପୁରା ସ୍ମାର୍ଟସିଟି ଉପରେ କଡା ନଜର ରଖିବେ ଆଉ ଯେଉଁଠି ଏମିତି କିଛି ନଜର ଆସିବ ନେବେ ଦୃଢ କାର୍ଯ୍ୟନୁଷ୍ଠାନ ।
ସୂଚନା ଅନୁସାରେ ଏନେଇ ବିଏମସି ପକ୍ଷରୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି । ଏଣିକି ରାଜଧାନୀରେ ଖୋଲାରେ ମଳତ୍ୟାଗ କଲେ ୨୦୦ ଟଙ୍କା ଏବଂ ଖୋଲାରେ ପରିସ୍ରା କଲେ ୧୫୦ ଟଙ୍କା ତଣ୍ଡ ଗଣିବାକୁ ପଡିବ । ବିଏମସି ସୂଚନା ଅନୁସାରେ ବିଏମସିର ବିଭିନ୍ନ ଯୋଜନାରେ ୧୮୦ ରୁ ଅଧିକ ଶୌଚାଳୟ ରହିଛି । ଦେଖିବାକୁ ଗଲେ ପ୍ରତି ୫୦୦ ମିଟର ବ୍ୟବଧାନରେ ଗୋଟିଏ ଶୌଚାଳୟ ରହିଛି । ବର୍ଷକ ମଧ୍ୟରେ ଆହୁରି ୩୭ ଟି ଇ ଟଏଲଟ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ ଏହି ନିଷ୍ପତି ସହରବାସୀ ସ୍ୱାଗତ କରିଥିବା ବେଳେ ବସ୍ତି ବାସିନ୍ଦା କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭିନ୍ନ ବସ୍ତିରେ ଏବେ ଶତାଧିକ ପରିବାରଙ୍କ ପାଖରେ ଶୌଚାଳୟ ଟିଏ ନାହିଁ ।