ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ କରୋନା ସଂକମଣ ହ୍ରାସ ପାଇବାରେ ଲାଗିଛି । ସେହିଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ବି ସଂକ୍ରମଣଙ୍କ ସଂଖ୍ୟା ପୂର୍ବାପେକ୍ଷା କମ ହୋଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ବିଶ୍ୱସ୍ତରରେ ଦେଖିବାକୁ ଗଲେ କିଛି ଦେଶରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଛି । ସେହିପରି ଶୀତଦିନେ ମଧ୍ୟ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି । ସେଥିପାଇଁ ସତର୍କ ରହିବା ଲାଗି ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଉଛନ୍ତି । ସେହିପରି ପାଖେଇ ଆସୁଛି ଦୀପାବଳୀ । ସେଥିପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।
ଏନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି କି, ଏଥର ଦୀପାବଳୀରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ ରାଜଧାନୀ ଭୁବନେଶ୍ୱରେ କଟକଣା ଜାରି ହୋଇଛି । ଯଦି କେହି ଏହାକୁ ଅବମାନନା କରିନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ଏଥରକ କୌଣସି ବ୍ୟବସାୟୀ ରାସ୍ତା କଡରେ ଦୀପ ଏବଂ ମହମବତୀ ବିକ୍ରି କରି ପାରିବେ ନାହିଁ । ଦୀପ ଏବଂ ମହମବତୀ ବିକ୍ରି ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ନିରୁପଣ କରାଯାଇଛି । ଏନେଇ ଅନୁମତି ନେବାକୁ ହେବ । ସେହିପରି ଚେକିଂ ଏବଂ ଅନୁଧ୍ୟା ପାଇଁ ୫ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି ।