ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖିକି ସାମଜିକ ଦୂରତା ବଜାଇ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୪୧ଟି ଛୋଟ ବଡ ହାଟ ଓ ବଜାରକୁ ଖୋଲା ଯାଗାକୁ ସ୍ଥାନାନ୍ତରିତ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି ଅନୁଯାୟୀ ସାମାଜିକ ଦୂରତା ଅଭ୍ୟାସକୁ ସୁନିଶ୍ଚିତ କରିବା ପାଇଁ ବିଏମସିର ତିନୋଟି ପ୍ରଶାସନିକ ଜୋନରେ ବରିଷ୍ଠ ବିଏମସି ଅଧିକାରୀଙ୍କ ସକ୍ରିୟ ତତ୍ୱାବଧାନରେ ସ୍ଥାନୀୟ ହାଟ ପରିଚାଳନା କରାଯାଉଛି।
ସେହିଭଳି ସବୁଜ ପନି ପରିବା ଯୋଗାଇ ହେବା ପାଇଁ ବିତରଣ ଭ୍ୟାନର ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଲୋକ ମାନେ ଘରେ ବସି ସବୁଜ ପନି ପରିବା ପାଇ ପାରିବେ । ଅନ୍ୟପଟେ ଫୁଡ୍ ଡେଲିଭରି କଂପାନି ସ୍ୱିଗ୍ଗୀ ସାହାଯ୍ୟରେ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇବା ଆରମ୍ଭ କରିଛି ବିଏମସି । ଏହା ଦ୍ୱାରା ଲକ୍ ଡାଉନ୍ ପାଇଁ ଯେଉଁ ଲୋକ ମାନେ ଖାଦ୍ୟ ପାଇ ପାରୁ ନାହାନ୍ତି ସେମାନେ ଖାଦ୍ୟ ପାଇ ପାରିବେ । ବିଶେଷ କରି ଶ୍ରମିକ ମାନେ ଏହା ଦ୍ୱାରା ଉପକୃତ ହେବେ ।
ସୂଚନା ଯୋଗ୍ୟ କରୋନା ଭାଇରସ ଡରରେ ସାରା ଦେଶରେ ଏବେ ହାହାକାର ପଡିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସରେ ସାରା ବିଶ୍ୱରେ ୨୬ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୧୦୦୦ରୁ ଅଧିକଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଲାଣି । ସେହିପରି ଓଡିଶାରେ ୩ଟି କରୋନା ରେଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ୍ ଘୋଷଣା କରିଦିଆଯାଇଛି ।