ବଲାଙ୍ଗୀର(ଏଟିଆର ବ୍ୟୁରୋ): ବନ୍ଦ ରହିଛି ଅଖଚକ, ଜନଶୂନ୍ୟ ହୋଇଛି ରାସ୍ତାଘାଟ । ଦୀର୍ଘଦିନ ଧରି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରିଆସୁଛନ୍ତି ଆଇନଜୀବିମାନେ । ଏନେଇ ଆଜି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଖିବାକୁ ମିଳିଛି ବଲାଙ୍ଗୀର ସହରରେ । ଏହି ବନ୍ଦ ସକାଳ ୯ଟାରୁ ଆରମ୍ଭ ହୋଇ ୨୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣା ପଡିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏହି ବନ୍ଦ ପାଳନ ଯୋଗୁ ପୂରା ସହରରେ ଯାନବାହାନ ଚଳାଚଳ ଠପ୍ ହେବା ସହିତ ଦୋକାନ ବଜାର ଏବଂ ସ୍କୁଲ କଲେଜ ଆଦି ବନ୍ଦ ରହିଛି । ଅନ୍ୟପଟେ ସରକାରୀ ଓ ବେସରକାରୀ ଅଫିସ୍ ଗୁଡିକ ମଧ୍ୟ ବନ୍ଦ ରହିଛି । ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦର ପ୍ରଭାବ ବଲାଙ୍ଗୀର ଷ୍ଟେସନରେ ମଧ୍ୟ ଦେଖିବାକୁ ମିଳିଛି । ଷ୍ଟେସନକୁ ଆସୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି ।