ରାଉରକେଲା(ଏଟିଆର ବ୍ୟୁରୋ): ରାଉରକେଲା ସହରରରେ ଆଜି ବହି ଦୋକାନ ଖୋଲା ହୋଇଛି । ଲକଡାଉନ ପାଇଁ ଗତକିଛି ଦିନ ହେବ ରାଜ୍ୟରେ ସବୁ ଦୋକାନ ବଜାର ବନ୍ଦ ରହିଥିଲା । ଏହା ସହ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା । ତେବେ ଛାତ୍ରାଛାତ୍ରୀ ମାନଙ୍କ ଅଭିଭାବକ ଘରେ ପାଠ ପଢାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ହେଲେ ବହି ଦୋକାନ ବନ୍ଦ ଥିବାରୁ ଅଭିଭାବକ ମାନେ ବହି ଆଣି ପାରୁନଥିଲେ । ଏହାକୁ ନଜରରେ ରଖି ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି । ଯେଉଁ ଥିରେ ସକାଳ ୭ଟା ରୁ ୧୧ଟା ପର୍ଯ୍ୟନ୍ତ ବହି ଦୋକାନ ଖୋଲା ରହିବ ବୋଲି କୁହାଯାଇଛି । ଏହା ସହିତ ସାମାଜିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛି ।
ଯେଉଁ ମାନେ ଏହି ନିୟମକୁ ପାଳନ କରିବେ ନାହିଁ ସେମାନଙ୍କର ଦୋକାନ ସିଲ୍ କରାଯିବା ସହ ଦୃଢ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ କୁହାଯାଇଛି । ତେବେ ରାଉରକେଲା ସହରରେ ଛୋଟ ବଡ କରି ପ୍ରାୟ ୧୨୦ରୁ ଅଧିକ ସ୍କୁଲ ରହିଛି । ଯେଉଁ ଥିରେ ୨୫ ହଜାରରୁ ଅଧିକ ପିଲା ପାଠ ପଢୁଛନ୍ତି । ଏହି ନିର୍ଦେଶନାମା ଦ୍ୱାରା ବହୁ ଅଭିଭାବକ ଓ ଛାତ୍ରାଛାତ୍ରୀ ମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଆଜି ସହରରେ ପାଖା ପାଖି ୩୦ରୁ ଅଧିକ ବହି ଦୋକାନ ଖୋଲା ରହିଥିବାର ଦେଖାଯାଇଛି ।