ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାରେ ଲାଗିପଡିଛି । କେତେ ବେଳେ ଜନତା କର୍ଫ୍ୟୁ ତ ଆଉ କେତେ ବେଳେ ଲକ୍ ଡାଉନ । ତେବେ ଏହାରି ଭିତରେ ରାଜ୍ୟ ସରକାର ଆଉ ଏକ ନିଷ୍ପତି ନେଇଛନ୍ତି । ରାଜ୍ୟର ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ ଲକ୍ ଡାଉନ୍ ପର୍ଯ୍ୟନ୍ତ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ମେଡିକାଲ ବା ସ୍ୱାସ୍ଥ୍ୟସେବା ସହ ଜଡିତ ଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଏଥିରୁ ବାଦ ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି ।
ସୂଚନା ଯୋଗ୍ୟ କରୋନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୯୬ ଦେଶକୁ ବ୍ୟାପି ସାରିଲାଣି । ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାୟ ୧୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ଏହି ଭାଇରସରେ ୪୦୦ ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୨ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି ।