ବଲାଙ୍ଗିର ( ଏଟିଆର ବ୍ୟୁରୋ): ଦଶହରା ଛୁଟିରେ ସାନ ଭଉଣୀ ଆସିଥିଲା ଘରକୁ । ଦଶହରାରେ ବେଶ ମଜା କଲେ । ସ୍କୁଲ ଖୋଲିବାରୁ ଭଉଣୀକୁ ଭାଇ ବାଇକରେ ବସାଇ ନେଉଥିଲା ପୁଣି ସ୍କୁଲରେ ଛାଡିବାକୁ । ଭଉଣୀ ପାଠ ପଢିବ ଭାଇର ନାଁ ରଖିବ । ହେଲେ କିଏ ଜାଣିଥିଲା ଆଜି ସେମାନେ ସ୍କୁଲରେ ପହଞ୍ଚି ପାରିବେନି ବୋଲି । ଆଜି ଦିନ ହେବ ସେମାନଙ୍କ ପାଇଁ ଶେଷ ଦିନ । ଅଧାବାଟରେ ଚାଉଳ ବୋଝେଇ ଟ୍ରକ କଳା ମେଘ ହୋଇ ମାଡି ଆସିବ ଆଉ ତାଙ୍କ ଜୀବନର ସଞ୍ଜ ଲିଭିଜିବ ।
ଏମିତି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ । ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଭାଇଭଉଣୀ ପ୍ରାଣ ହରାଇଛନ୍ତି। ମୃତକ ଭାଇ ଭଉଣୀ ହେଲେ ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ।ସେମାନେ ସାଲେପାଲିର ଆଶ୍ରମ ସ୍କୁଲ ଯାଉଥିଲେ । ମହିପୁର ଛକ ନିକଟରେ ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଦ୍ରୁତ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।