ବଳଙ୍ଗା(ଏଟିଆର ବ୍ୟୁରୋ) : ଭଉଣୀକୁ ହତ୍ୟା କଲା ଭାଇ । ସାମାନ୍ୟ ଖାଇବାକୁ ନେଇ ନାବାଳିକା ଭଉଣୀକୁ ତଣ୍ଟିଚିପି ମାରିଦେଲା ବଡଭାଇ । ହେଲେ କାଳେ ଘଟଣା ଜଣାପଡିଯିବ ବୋଲି ମୃତା ନାବାଳିକାର ମାମୁଘର ଲୋକଙ୍କ ସହାୟତାରେ ମା’ ପୁଅ ମିଶି ମୃତଦେହକୁ ପୋଡିଦେବବା ଘଟଣା ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ଚହଳ ପକାଇଛି । ଖବର ପାଇ ଶ୍ମସାନରୁ ହାଡ, ପାଉଁଶ ଜବତ କରିବା ସହ ହତ୍ୟାକାରୀ ଭାଇକୁ ଅଟକ ରଖିଛି ବଳଙ୍ଗା ପୁଲିସ ।
ବଳଙ୍ଗା ଥାନା ହରିପୁର ଦଳୁଆ ସାହିରେ ଘଟିଛି ଏହି ନାରକୀୟ କାଣ୍ଡ । ମିଳିଥିବା ଖବର ଅନୁସାରେ, ହତ୍ୟାକାରୀ ନୀଳମାଧବ ବେହେରା ଜଣେ ସାମାନ୍ୟ ମାନସିକ ଅନଗ୍ରସର ଯୁବକ । ଗତକାଲି ସେ ଘରେ ଖାଇବାକୁ ମାଗିଥିବା ବେଳେ ୧୪ ବର୍ଷୀୟା ଭଉଣୀ ଖାଇବାକୁ ଦେଇଥିଲା । ଏହି ସମୟରେ ଭଉଣୀ ସହ ଝଗଡା ହୋଇଥିଲା ଭାଇ ନୀଳମାଧବର । ତେବେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ସାନଭଉଣୀର ତଣ୍ଟି ଚିପି ପକାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମରି ଯାଇଥିଲା ନାବାଳିକା ଭଉଣୀ । ଏହାପରେ ବାଡିପଟେ ଥିବା ବିଧବା ମା’ ରମାମଣୀଙ୍କୁୁ ସବୁ କଥା କହିଥିଲା ପୁଅ ନୀଳମାଧବ । ଏହାପରେ ରମାମଣୀ ନୂଆଶାସନ ସ୍ଥିତ ନିଜ ବାପଘର ଲୋକଙ୍କୁ ଡାକି ଝିଅକୁ ଚିକିତ୍ସା କରିବା ବାହାନାରେ ପିପିଲି ନେଇ ପଳାଇଥିଲେ । ହେଲେ ପିପିଲି ନଯାଇ ନୂଆଶାସନ ନିକଟ ଭାର୍ଗବୀ ନଦୀ ପଠାରେ ମୃତା ନାବାଳିକାର ଶବକୁ ଲୁଚାଇ ପୋଡି ଦେଇଥିଲେ ।
ତେବେ ଆଜି ସକାଳେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ମୃତା ନାବାଳିକାର ପରିବାରକୁ ଅଟକ ରଖିବା ସହ ପୁଲିସକୁ ଖବର ଦେଇଥିଲେ । ବଳଙ୍ଗା ଥାନା ଅଧିକାରୀ ଶୁସାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଂଚି ଘଟଣାର ଛାନଭିନ କରିବା ସହ ହତ୍ୟାକରୀ ଭାଇ ଓ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛନ୍ତି । ତେବେ ଫରୋନସିକ ଟିମ ନୂଆଶାସନ ଗାଁ ମୁଣ୍ଡ ନଦୀପଠାରେ ପହଂଚି ପୋଡିଯାଇଥିବା ମୃତଦେହର ପାଉଁଶ ଓ ହାଡ ଜବତ କରିଛି । ଏହି ଘଟଣା ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।