ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି । ବର୍ତ୍ତମାନ ସମୁଦ୍ରରେ ଏହାର ବେଗ ଘଣ୍ଟାପ୍ରତି ୫ କିଲୋମିଟର ରହିଛି । ଏହା ପାରାଦୀପଠାରୁ ପ୍ରାୟ ୭୭୦ କିଲୋମିଟର ଦୂରରେ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଗୋଟିଏ ସାଇକ୍ଲୋନର ରୂପ ନେବ । ତେବେ ଏହାର ପ୍ରଭାବ କଣ ରହିବ ତାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇପାରେ ।
ଏହାର ପ୍ରଭାବରେ ନଭେମ୍ବର ୯ ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଜିଲ୍ଲା ଯଥା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବା ଆଶଙ୍କା କରାଯାଉଛି । ୯ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କି.ମି ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଉଛି।
ସମ୍ଭାବ୍ୟ ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଅନ୍ୟପଟେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ନଥିବାରୁ ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ସରକାର ପରାମର୍ଶ ଦେଇଛନ୍ତି ।