ରାଇରଙ୍ଗପୁର (ଏଟିଆର ବ୍ୟୁରୋ ) : ହୁତ ହୁତ ହୋଇ ଜଳୁଛି ଧାନଗଦା । ଧାନଗଦା ଭିତରେ ଜଳୁଛି ମଣିଷର ଶବ । ମୃତଦେହ କାହାର ଓ କିଏ କାହିଁକି ନିଆଁ ଲଗାଇଛି ତାହା ଜାଣିବାକୁ ଘଟଣାସ୍ଥଳରେ ଲାଗିଛି ଲୋକଙ୍କ ଭିଡ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦାଣ୍ଡପୋଷ ଗାଁରେ ଘଟିଛି ଏଭଳି ଚାଂଚଲ୍ୟକର ଘଟଣା ।
ଅମଳ ପାଇଁ ରାସ୍ତାକଡରେ ଥୁଆ ହୋଇଥିବା ଏକ ଧାନଗଦା ଭିତରେ ଏକ ଶବ ଜଳୁଥିବା ଦେଖିବା ପରେ ସେଠାରେ ଲୋକଙ୍କ ଗହଳି ଲାଗିଥିଲା । ପରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇ ଦର ପୋଡା ଶବକୁ ଜବତ କରିଥିଲେ । ତେବେ ଶବଟି କାହାର ତାହା ଚିହ୍ନଟ ହୋଇ ନଥିବା ବେଳେ ଘଟଣାସ୍ଥଳରୁ ରକ୍ତଲଗା ଏକ ପଥର ଜବତ ହୋଇଛି । ତେଣୁ ଅଚିହ୍ନା ଲୋକଟିକୁ ହତ୍ୟା କରି ତାହାକୁ ଧାନଗଦାରେ ପୁରାଇ ପୋଡି ଦିଆଯାଇଛି ବୋଲି ସନ୍ଦେହ କରୁଛି ପୁଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସଂପର୍କରେ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ କହିଛି ।