ବାରିପଦା (ଏଟିଆର ବ୍ୟୁରୋ): ବିଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ବସ୍ ଦୁର୍ଘଟଣା ଖବର ଲୋକଙ୍କୁ ଛାନିଆ କରି ରଖିଛି । କେବଳ ଗୋଟିଏ କି ଦୁଇଟି ଘଟଣା ନୁହେଁ ବରଂ ଲଗାତର ଭାବେ ଦୁର୍ଘଟଣା ଘଟି ଚାଲିଛି । ଏବେ ପୁଣି ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବମ୍ବେ ଛକଠାରେ ଏହି ଦୁର୍ଘଟଣାଟି ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ବାରମ୍ବାର ଦୁର୍ଘଟଣା ରାସ୍ତା ଖରାପ ଯୋଗୁଁ ଘଟୁଛି ନା ବେପରୁଆ ଭାବେ ଗାଡି ଚଳାଇବା କୁ ନେଇ । ଏହାବ୍ୟତିତ ଟଙ୍କା ଲୋଭରେ ଗାଡିର ସଠିକ୍ ରୂପେ ରକ୍ଷଣା ବେକ୍ଷଣ ନହେବାରୁ ଏଭଳି ଦୁର୍ଘଟଣା ଘଟୁନି ତ । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ । ତେବେ ସେଥିପାଇଁ ଦାୟୀ କିଏ?
ଖବରମୁତାବକ, ଆଜି ପୂର୍ବାହ୍ନରେ ସ୍ୱର୍ଣ୍ଣଲକ୍ଷ୍ମୀ ନାମକ ବସଟି ବାରିପଦାରୁ କେନ୍ଦୁଝର ଯାଉଥିବା ସମୟରେ ଏକ ବାଇକ୍ ସହ ମୁହାଁ ମୁହାଁ ଧକ୍କା ହୋଇ ଓଲଟି ପଡିଥିଲା । ଏଥିରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ବାଇକ୍ ପଛରେ ବସିଥିବା ମହିଳା ଗୁରୁତର ଭାବେ ଆହତ ହୋଇଥିଲେ । ଅନ୍ୟପଟେ ବସ୍ ରେ ଥିବା ହେଲପରଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡିଛି ଏବଂ ୨୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଭାବେ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ବସ୍ ଡ୍ରାଇଭର ଜଣଙ୍କ ଫେରାର ଥିବା ଜଣାପଡିଛି ।