ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବସ ଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ବସ ଭଡା । ଲଗାତାର କିଛି ଦିନ ହେବ ଯେଉଁଭଳି ଭାବରେ ଡିଜେଲ ଓ ପେଟ୍ରୋଲ ଦର ହ୍ରାସ ପାଉଛି ତାହାକୁ ଦେଖି ରାଜ୍ୟ ସରକାର ବସ ଭଡା ହ୍ରାସ କରିବାକୁ ସ୍ଥିର କରିଛନ୍ତି । ଗତକାଲି ରାଜ୍ୟ ପରିବହନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସାଧାରଣ (ଅର୍ଡିନାରୀ) ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୧ପଇସା ହ୍ରାସ ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ କିଲୋମିଟର ପିଛା ୨ପଇସା କମିଛି ।
ପୂର୍ବରୁ ଅର୍ଡିନାରୀ ବସୁଭଡା କିଲୋମିଟର ପିଛା ୬୯ପଇସା ଥିବା ବେଳେ ତାହା ଏବେ ୬୮ପଇସାକୁ କମିଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କି.ମି. ପିଛା ୭୨ ପଇସାରୁ ୭୧ ପଇସା, ଡିଲକ୍ସ ବସ୍ ଭଡ଼ା କି.ମି. ପିଛା ୯୯ ପଇସାରୁ ୯୭ ପଇସା, ଏସି ଡିଲକ୍ସ ବସ୍ ଭଡ଼ା କି.ମି. ପିଛା ୧ଟଙ୍କା ୨୧ପଇସାରୁ ୧ଟଙ୍କା ୧୯ ପଇସାକୁ କମିଛି।