ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଦିନ ୧୧ଟି ଜିଲ୍ଲାରେ ସଟ୍ ଡାଉନ୍ ରହିବ ବୋଲି ଘୋଷଣା କରାଯାଇଛି । ତେବେ ସଟ୍ ଡାଉନ୍ ବେଳେ ଯାତ୍ରୀବାହୀ ବସ ଚଳାଚଳ କରିପାରିବ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ଯାତ୍ରୀମାନେ ବସ୍ଷ୍ଟାଣ୍ଡ୍ରୁ ସେମାନଙ୍କର ଗନ୍ତବ୍ୟସ୍ଥଳ କିମ୍ବା ସେଠାରୁ ବସ୍ଷ୍ଟାଣ୍ଡ୍କୁ ଆସିବା ପାଇଁ ବ୍ୟବହାର କରୁଥିବା ଯାନବାହନକୁ କଟକଣାମୁକ୍ତ ରଖିଛନ୍ତି । ତେଣୁ ବସଚଳାଚଳ କରିପାରିବ । ତେବେ ଏହା ସହ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ମଧ୍ୟ ବସ ଚଳାଚଳ ଜାରି ରହିଛି । ତେଣୁ ଯାତ୍ରୀ ମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ କିଛି ଅସୁବିଧା ହେବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ସୂଚନା ଯୋଗ୍ୟ କରୋନା ମହାମାରୀ ପାଇଁ ପ୍ରାୟ ଦୁଇ ମାସ ହେବ ବସ ଚଳାଚଳ ବନ୍ଦ ହୋଇ ରହିଥିଲା । ସ୍ଥିତି ସ୍ୱଭାବିକ ହେବା ପରେ ରାଜ୍ୟ ସରକାର ବସ ଚଳାଚଳ କରିବା ପାଇଁ ଅନୁମତି ଦେଇଥିଲେ । ସରକାରଙ୍କ ଘୋଷଣା ପରେ ବି ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇ ପାରିନଥିଲା । କାରଣ ବସ ମାଲିକ ସଂଘ ତରଫରୁ ସରକାରଙ୍କୁ ୩ ମାସର ରୋଡ୍ ଟ୍ୟାକ୍ସ ଛାଡ କରିବା ପାଇଁ ଦାବି କରାଯାଇଥିଲା । ତେବେ ସରକାର ଏହି ସର୍ତ୍ତ ଉପରେ ରାଜି ହେବା ପରେ ରାଜ୍ୟ ଭିତରେ ବସ ଚଳାଚଳ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବସ ଚଳାଚଳ କରିବା ସମୟରେ ଯାତ୍ରୀ ମାନେ ମାସ୍କା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ଏହା ସହ ବସରେ ଯେତିକି ସିଟ ସେତିକି ଯାତ୍ରୀ ଯାତ୍ରା କରିବେ ବୋଲି ସରକାରଙ୍କ ପକ୍ଷରୁ ବସ ମାଲିକ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି ।