ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା କାଲି ରଙ୍ଗର ପର୍ବ ହୋଲି । ଯାହାକୁ ନେଇ ସାରା ରାଜ୍ୟ ଏବେ ଚଳଚଞ୍ଚଳ । ଯାହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ହୋଲିରେ କିଛି ନା କିଛି ଅଘଟଣ ଘଟିଥାଏ । ଯୁବକ ମାନେ ମଦ ପିଇ ଦୁର୍ଘଟଣା ଘଟାଇ ଥାନ୍ତି । ଏହା ସହ ଗୋଷ୍ଟୀ ଓ ଗୋଷ୍ଟୀ ମଧ୍ୟରେ ସଂଘର୍ଷ ହୋଇ ରକ୍ତାତ ହୋଇଥିବା ଘଟଣା ପୂର୍ବରୁ ନଜରରେ ଆସିଛି । ତେବେ ଚଳିତ ବର୍ଷ ହୋଲିରେ ଯଦି କୌଣସି ପ୍ରକାରର ଅଘଟଣ ଘଟେ ସେଥିପାଇଁ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ରହିଛି । ଜରୁରିକାଳୀନ ସେବା ପାଇଁ ହସ୍ପିଟାଲ ଅଧିକ ଡାକ୍ତର ନିୟୋଜିତ କରାଯାଇଛି ।
ଏହା ସହ ଚକ୍ଷୁ ଡାକ୍ତର, ସ୍କିନ ଡାକ୍ତର ଓ ଇଏନଟି ବିଭାଗର ଡାକ୍ତରଙ୍କୁ ସଜାଗ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ କ୍ୟାପିଟାଲ ହସ୍ପିଟଲରେ ଜରୁରିକାଳୀନ ବିଭାଗରେ ୧୯ଟି ବେଡ ରହିଛି । ତେବେ ହୋଲିର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଗୋଟିଏ ଆମ୍ବୁଲାନ୍ସକୁ ରିଜର୍ଭ ରଖାଯିବା ସହ ୧୭ଟି ପେଟ୍ରୋଲିଂ ଭ୍ୟାନର ବ୍ୟବସ୍ଥା କରାଯାଇଛି ।