ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମହାମାରୀର ଭୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିଛନ୍ତି । ତେବେ ଏହି ସମୟରେ ଅନେକ ପରୀକ୍ଷା ହେବାକୁ ଥିବାରୁ ଏହା ଉପରେ ମଧ୍ୟରେ କିଛିଟା ରୋକ ଲଗାଯାଇଛି । ଆଜିଠାରୁ ଆରମ୍ଭ ହେବାକୁ ଥିବା ଚଳିତବର୍ଷର CBSE ପରୀକ୍ଷାକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ଆଜିଠାରୁ ଆରମ୍ଭ ହେବାକୁ ଥିବା CBSEର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହୋଇଥାନ୍ତା ।
ତେବେ ସାରା ଦେଶରେ ଏବେ କରୋନାର ତାଣ୍ଡବ ଚାଲିଥିବାରୁ କେନ୍ଦ୍ର ସରକାରର ଏହିଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ସମସ୍ତ ସ୍ଥିତି ଦେଖି ପରବର୍ତ୍ତୀ ସମୟ ଘୋଷଣା କରାଯିବ ବୋଲି CBSE ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସ୍କୁଲ ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଦେଶର ବିଭିନ୍ନ ସେଣ୍ଟରରେ ଚାଲିଥିବା ପରୀକ୍ଷା ଖାତା ମୂଲ୍ୟାୟନକୁ ମଧ୍ୟ ଚଳିତ ମାସ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି CBSE ।
ଅନ୍ୟପଟେ କରୋନା ପାଇଁ ଓପିଏସସିର ସମସ୍ତ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଛି । ହଜାର ହଜାର ସଂଖ୍ୟକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିବାରୁ କରୋନା ସଂକ୍ରମଣ ହେବାର ଆଶଙ୍କା କରାଯାଇ ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷାକୁ ରଦ୍ଦ କରାଯାଇଛି । ଏନେଇ ଓପିଏସସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରି ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।