ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବକେୟା ବିଦ୍ୟୁତ ବିଲ ପୈଠ ନକରିଥିଲେ ସେସୁ ପକ୍ଷରୁ ବିଦ୍ୟୁତ ସରବରାହକୁ ବନ୍ଦ କରିଦିଆ ଯାଉଛି । ଗତ ଜାନୁଆରୀ ୧୫ ଭିତରେ ଯେଉଁ ଉପଭୋକ୍ତା ବକେୟା ବିଦ୍ୟୁତ ବିଲ ପୈଠ କରିନଥିବେ ସେମାନଙ୍କ ବିଦ୍ୟୁତ ସେବାକୁ ୧୬ ତାରିଖରୁ ବନ୍ଦ କରିଦିଆଯାଇଛି । ତେଣୁ ବକେୟା ବିଦ୍ୟୁତ ବିଲ ପୈଠ କରିବା ପାଇଁ ବିଦ୍ୟୁତ ଅଫିସ ସମ୍ନାରେ ଦେଖିବାକୁ ମିଳୁଥିଲା ଲୋକଙ୍କର ଭିଡ । ତେବେ ଏହି ଭିଡକୁ ଆଖି ଆଗରେ ରଖି ସେସୁ ପକ୍ଷରୁ ୧୬୦ଟି ବିଜୁଳି ବିଲ ପେମେଣ୍ଟ କାଉଣ୍ଟର ଖୋଲାଯାଇଛି । ଆଜିଠାରୁ କଟକ ଓ ଭୁବନେଶ୍ୱର ପାଇଁ ୧୬୦ଟି ଏଆରଟେଲ ପେମେଣ୍ଟ ବ୍ୟାଙ୍କ କାଉଣ୍ଟର କାର୍ଯ୍ୟକ୍ଷମ କରାଯାଇଛି । ବିଦ୍ୟୁତ ବିଲ ପୈଠ କରିବା ନିମନ୍ତେ ସେସୁ ଏୟାରଟେଲ ମିଳିତ ଭାବରେ ଏହି କାଉଣ୍ଟର ଖୋଲିଛନ୍ତି ।
ସହିଦ ନଗରଠାରେ ଏକ କାଉଣ୍ଟରକୁ ଉଦଘାଟନ କରିବା ଅବସରରେ ମହାପ୍ରବନ୍ଧକ ମନୋଜ ସିଂହ ସୂଚନା ଦେଇଛନ୍ତି କି, ସେସୁ କାମ କରୁଥିବା ରାଜ୍ୟର ସମସ୍ତ ଜିଲ୍ଲାରେ ୨୭ଲକ୍ଷ ଉପଭୋକ୍ତାଙ୍କ ନିମନ୍ତେ ଏହି ସେବା ଉପଲବ୍ଧ ହେବା ପାଇଁ ୧୦ ହଜାର କାଉଣ୍ଟର ଖୋଲାଯିବାକୁ ଯୋଜନା ରହିଛି । ଏହା ବ୍ୟତିତ ଘରେ ବସି ମଧ୍ୟ ମୋବାଇଲ ଆପ ‘ଏୟାରଟେଲ ପେମେଣ୍ଟ ବ୍ୟାଙ୍କ’ ଜରିଆରେ ବିଜୁଳି ବିଲ ଜମା କରିହେବ । ସେସୁର ୫୬ଟି କାଉଣ୍ଟର କଟକ ଓ ଭୁବନେଶ୍ୱରରେ ରହିଛି ଯେଉଁଠାରେ ବିଲ ପୈଠ କରିବାରେ ସମସ୍ୟା ହେଉଛି । ଅନ୍ୟପଟେ ଏବେ ରାଜ୍ୟରେ ବଳକା ବିଲ ପୈଠ ନିମନ୍ତେ ତନାଘନା ଚାଲିଥିବା ବେଳେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ନା କରିବାକୁ ପଡୁଛି । ସେଥିପାଇଁ ୧୬୦ଟି କାଉଣ୍ଟର ଖୋଲିବା ପାଇଁ ସେସୁ ଏୟାରଟେଲ ସହ ଚୁକ୍ତି କରିଛି ।
ବର୍ତ୍ତମାନ ସେସୁର ୧୪ଟି କମ୍ପ୍ୟୁଟର ଚାଳିତ କାଉଣ୍ଟର ରହିଛି ଯେଉଁଠି ପାଖାପାଖି ୯୦ ହଜାର ଉପଭୋକ୍ତା ଅନଲାଇନ ଜରିଆରେ ବିଦ୍ୟୁତ ବିଲ ପୈଠ କରୁଛନ୍ତି । ଏହି ନୂତନ ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ରିହାତି ମିଳିବ। ରିହାତି ଅବଧୀ ମଧ୍ୟରେ ଜମା କଲେ ଉପଭୋକ୍ତା ଏହି ସୁଯୋଗ ପାଇପାରିବେ ବୋଲି ବୋଲି ସେସୁ ସୂଚନା ଦେଇଛି। ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମହାପ୍ରବନ୍ଧକ (ମାନବ ସମ୍ବଳ)ସୁବ୍ରତ କୁମାର ମିଶ୍ର, ବରିଷ୍ଠ ମହା ପ୍ରବନ୍ଧକ (ପ୍ରଯୁକ୍ତିବିଦ୍ୟା) ପି. ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।