କୋଣାର୍କ ( ଏଟିଆର ବ୍ୟୁରୋ): ଅଭିଯୁକ୍ତ ସହ ସେଲଫି ନେଇ ବିବାଦୀୟ ହୋଇ ପଡିଥିବା ଚନ୍ଦ୍ରଭାଗା ମେରାଇନ ଥାନା ଆଇଆଇସିଙ୍କୁ ବଦଳି ପରେ ଏବେ ସସପେଣ୍ଡ କରାଯାଇଛି । ଏହି ମାମଲାରେ ପୂର୍ବରୁ ଏସପିଙ୍କ ନିର୍ଦେଶକ୍ରମେ ଆଇଆଇସିଙ୍କୁ ପୁରୀ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଥିଲା ମାତ୍ର ଏବେ ପୁଣି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଇଛି । ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ଏହି ମାମଲାର ତଦନ୍ତ କରି ଏସଡିପିଓ ରିପୋର୍ଟ ଦେଲାପରେ ଡିଜିପି ବୁଲା ମୁଣ୍ଡାଙ୍କୁ ନିଲମ୍ବନ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ ଚନ୍ଦ୍ରଭାଗା ମେରାଇନ୍ ଥାନା ଆଇଆଇସି ଭାବେ ସୁଜିତ ଦାଶଙ୍କୁ ଅବସ୍ଥାପିତ କରାଯାଇଛି । ସୂଚନାଯୋଗ୍ୟ ଆଇଆଇସି ବୁଲା ମୁଣ୍ଡା ଜଣେ ହତ୍ୟା ଅଭିଯୁକ୍ତକୁ ଧରିବା ପାଇଁ ଯାଇ ଅଭିଯୁକ୍ତଙ୍କୁ ଧରିବା ପରେ ତାଙ୍କ ସହ ପୋଲିସ ଗାଡିରେ ସେଲ୍ଫି ନେଇଥିଲେ । ଯାହା ପରେ ଶୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଘଟଣାକୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଗତକାଲି ବୁଲୁଙ୍କୁ ପୁରୀ ଏସପି ଜିଲ୍ଲା ମୁଖ୍ୟାଳୟକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପରେ ଏସଡିପିଓଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ବୁଲୁ ମୁଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ।