ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ଯୋରସୋରରେ ଚାଲିଛି ରଥ ନିର୍ମାଣ କାର୍ୟ୍ୟ । ମହାମାରୀ କରୋନା ପାଇଁ ରଥ ନିର୍ମାଣ କାର୍ୟ୍ୟ ବିଳମ୍ବର ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ୟ୍ୟ ଶେଷ କରିବା ପାଇଁ ଲାଗି ପଡିଛନ୍ତି କାରିଗର । ତେବେ ଆସନ୍ତୁ ଜାଣିବା ଏବେ ପର୍ୟ୍ୟନ୍ତ ରଥ ନିର୍ମାଣ କେତେ କାମ ଶେଷ ହୋଇଛି ।
ରଥ ନିର୍ମାଣ ନୀତି ଅନୁଯାୟୀ ଶୀତଳ ଷଷ୍ଠୀ ମଧ୍ୟରେ ତିନି ରଥର ସମସ୍ତ ଚକ କାମ ଶେଷ ହେବାର ନିୟମ ରହିଛି । ସେଥିପାଇଁ ଚକ ନିର୍ମାଣ ପାଇଁ ଜୋରସୋରରେ ଲାଗି ପଡିଛନ୍ତି କାରିଗର । ସେହିଅନୁଯାୟୀ ଏପର୍ଯ୍ୟନ୍ତ ନନ୍ଦିଘୋଷ ରଥର ମୋଟ ୧୬ଟି ଚକ ମଧ୍ୟରୁ ୧୧ ଟି ଚକ କାମ ଶେଷ ହୋଇଛି । ତାଳଧ୍ୱଜ ରଥର ମୋଟ ୧୪ଟି ଚକ ମଧ୍ୟରୁ ୧୧ ଟି ଚକ କାମ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର ମୋଟ ୧୨ ଟି ଚକ ମଧ୍ୟରୁ ୧୦ ଟି ଚକ କାମ ସମ୍ପର୍ଣ୍ଣ ହୋଇଛି ।
ସେହିପରି ଦର୍ପଦଳନ ଏବଂ ତାଳଧ୍ୱଜ ରଥର ଅଖ କାମ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ଅଖ କାମ ଜାରି ରହିଛି । ଏହାସହିତ ଗରଗରା କାମ ବି ଶେଷ ହୋଇଛି । ରଥର ମୂଳଦୂଆ ପ୍ରସ୍ତୁତ ପରେ ଅଖ ଉପରେ ଦଣ୍ଡା ପଡିବାର ନିୟମ ରହିଛି ଏବଂ ସେହି ଦଣ୍ଡା ଉପରେ ଗରଗରା ରହିଥାଏ । ପୁଣି ଗରଗରା ଉପରେ ରହିଥାଏ ଚାରିନାହାକା । ଏବେ ଏହି ଚାରିନାହାକା କାମ ବି ଶେଷ ହୋଇ ସାରିଛି ।
ଅନ୍ୟପଟେ ରଥ ଯୋକାରେ ସିଂହ ବିଡାଳ ଖୋଦେଇ କାମ ବି ଶେଷ ହୋଇଥିବା ବେଳେ ରଥରେ ଲାଗୁ ହେଉଥିବା କଣ୍ଟା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଓଝା ମହାରଣା ।