ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶରେ ଆସ୍ଥା ଓ ଭରଷାର ପର୍ବ ଛଟ ପର୍ବ ପାଳିତ ହୋଇ ଯାଇଛି । ବିହାରୀ ସମ୍ପ୍ରଦାୟର ଲୋକଙ୍କର ଏହି ପର୍ବ ବିହାର ଠାରୁ ଆରମ୍ଭ କରି ଓଡିଶା ସବୁଆଡେ ମହା ଧୁମଧାମରେ ପାଳିତ ହୋଇଛି । ମହିଳା ମାନେ ଦୁଇଦିନ ନିର୍ଜଳ ଉପାସ ରହି ପରିବାରର ସୁଖ ସମୃଦ୍ଧି ପାଇଁ ସୂର୍ଯ୍ୟଙ୍କୁ ପୂଜା କରିଛନ୍ତି । ଏନେଇ ବିଭିନ୍ନ ନଦୀ ପଠା ମାନଙ୍କରେ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।
ମହିଳାମାନେ ପ୍ରଥମ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବା ବେଳେ ଆଜି ପ୍ରାତଃ ସମୟରେ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି । କିମ୍ବଦନ୍ତୀ ଅନୁସାରେ ଛଟ ଦେବୀ ହେଉଛନ୍ତି ଭଗବାନଙ୍କ ସୂର୍ୟ୍ୟଙ୍କ ଭଉଣୀ। କାର୍ତ୍ତିକ ଶୁକ୍ଲପକ୍ଷ ଚତୁର୍ଥୀ ଦିନ ଆରମ୍ଭ ହୋଇଥାଏ ଏହି ପର୍ବ । ମହିଳାମାନେ ଏହି ବ୍ରତ ଅଧିକ କରିଥାନ୍ତି । ମହିଳାମାନେ ସୂର୍ଯ୍ୟ ଦେବତାଙ୍କୁ ଫଳମୂଳ ଅର୍ଘ୍ୟ ଟେକିଥାନ୍ତି । ଏହି ଅବସରରେ ଭୁବନେଶ୍ୱରସ୍ଥିତ କୁଆଖାଇ ନଦୀ କୂଳ ଏବଂ କଟକର କାଠଯୋଡ଼ି ନଦୀରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଭଗବାନ ସୂର୍ୟ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି ।