ପୁରୀ(ଏଟିଆର ବ୍ୟୁରୋ): ଶ୍ରୀ ମନ୍ଦିର ଦ୍ୱାର କେବେ ଖୋଲିବ ଏହାକୁ ନେଇ ଅତି ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ଭକ୍ତମାନେ । କରୋନା କଟକଣା ମଧ୍ୟରେ ଦୀର୍ଘ ୯ ମାସ ହେଲାଣି ଭକ୍ତଙ୍କ ପାଇଁ ବନ୍ଦ ରହିଛି ମନ୍ଦିର । ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ପଡିଲେଣି ।
ସୂଚନା ଅନୁସାରେ ଡିସେମ୍ବର ୨୧ରୁ ଭକ୍ତଙ୍କ ପାଇଁ ଖୋଲିପାରେ ମନ୍ଦିର । ତେବେ ମନ୍ଦିର ଖୋଲିବା ସମ୍ପର୍କରେ ଆଜି ନିଆଯିବ ନିଷ୍ପତ୍ତି । ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀ ମନ୍ଦିର ଛତିଶା ବୈଠକ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି ।
ତେବେ ଦୈନିକ ୪ ହଜାର ଭକ୍ତଙ୍କୁ ଅନୁମତି ମିଳିବାର ସମ୍ଭାବନା ରହିଥିବାର ସୂଚନା ମିଳିଛି । ସୀମିତ ସଂଖ୍ୟକ ଭକ୍ତଙ୍କୁ ଛଡାଯିବା ନେଇ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ୧୦% ଭକ୍ତଙ୍କୁ ମନ୍ଦିରକୁ ଛାଡିବା ନେଇ ଆଲୋଚନା ହୋଇପାରେ ।
ଚଳିତ ମାସ ୧୫ ତାରିଖରୁ ଜାନୁଆରୀ ୧୩ ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ହେବାକୁ ଥିବା ବେଳେ ଏହି ବୈଠକରେ ଏହାର ନୀତି ନିର୍ଘଣ୍ଟ କରାଯିବ ।
ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପଡୁଥିବାରୁ ତାର ନୀତି ନିର୍ଘଣ୍ଟ ଓ ସେହି ମାସ ୨୮ ରେ ମହାପ୍ରଭୁଙ୍କ ଦେବାଭିସେକ ନୀତି ନିର୍ଘଣ୍ଟ ପ୍ରଭୃତି ଆଜିର ବୈଠକରେ କରାଯିବ ବୋଲି ଜଣାପଡିଛି ।