ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାୟଗଡା ଏସପି ସନ୍ତୋଷ ସିଂଙ୍କ ସୁଚନା ଅନୁସାରେ ମାଓ ଝିଅ ହତ୍ୟା କାଣ୍ଡରେ ଅନ୍ୟଦୁଇ ଜଣ ଅଭିଯୁକ୍ତ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଓ ଅଧିକ ଛାନଭିନ କରିବା ପାଇଁ ଓଡିଶା ଆସିବ ଛତିଶଗଡ ପୋଲିସ । ତଦନ୍ତ ପାଇଁ ୩ଟି ସ୍ୱତନ୍ତ୍ର ଟିମ ଓଡିଶା ଆସି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିବା ସହ ବିଭିନ୍ନ ଜାଗାରେ ଛାନଭିନ କରିବ । ଅନୁପ କଳ୍ପନାଙ୍କ ସହ ରହୁଥିବା ଫ୍ଲାଟରେ ମଧ୍ୟ ଛାନଭିନ କରିବ । ଅନ୍ୟପଟେ କମିଶନରେଟ ପୋଲିସ ଏଥି ପାଇଁ ସାହଯ୍ୟ କରିବ ବୋଲି ସୂଚନା ମିଳିଛି ।
ଗତ ବୁଧବାର ଦିନ ଝାଡସୁଗୁଡା ଜିଲ୍ଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ରାୟଗଡା ପୋଲିସ ଗିରଫ କରିଥିଲା । ଏହା ପରେ ଅନୁପ ସାଏଙ୍କ ପରକୀୟା ସମ୍ପର୍କ ଓ ମା, ଝିଅଙ୍କୁ ହତ୍ୟା ମାମଲାର ପର୍ଦାଫାଶ ହୋଇଥିଲା । ୨୦୧୬ରେ ଛତିଗଡ ଏକ ଜଙ୍ଗଳରୁ କଳ୍ପନା ଦାସ ଓ ତାଙ୍କ ଝିଅର ମୃତ ଦେହ ମିଳିଥିଲା । ବହୁ ଦିନ ଧରି ମୃତ ଦେହର ପରିଚୟ ନମିଳିବାରୁ ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଏହି ମାମଲାରେ ଅନୁପ ସାଏଙ୍କ ସମ୍ପର୍କ ନେଇ ପୋଲିସ ଖବର ପାଇବାରୁ ବାରମ୍ବାର ତଦନ୍ତ ପାଇଁ ଅନୁପଙ୍କୁ ରାୟଗଡା ଆସିବା ପାଇଁ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଉଥିଲା । ହେଲେ ବିଭିନ୍ନ ଆଳ ଦେଖାଇ ଅନୁପ ପୋଲିସକୁ ସହଯୋଗ କରୁନଥିଲେ । ଅନୁପଙ୍କୁ ଗିରଫ କରିବା ପରେ ମା ଓ ଝିଅଙ୍କୁ ସେ ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଥିଲେ । ଏହା ପରେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଥିଲା ପୋଲିସ । ତେବେ ପୋଲିସ ବର୍ତ୍ତମାନ ହତ୍ୟାରେ ବ୍ୟବହୃତ ହୋଇଥିବା ଲୁହା ରଡ ଓ ଗାଡିକୁ ଜବତ କରିବା ପାଇଁ ଉଦ୍ୟମ କରୁଛି ।