କେନ୍ଦୁଝର (ଏଟିଆର ବ୍ୟୁରୋ); ଘର ଅଗଣାରେ ଖେଳୁଥିବା ସମୟରେ ଚୁଲିରେ ବସିଥିବା ଭାତ ହାଣ୍ଡି ଉପରେ ପଡିଗଲା ଦେଢ଼ ବର୍ଷର ଶିଶୁ । ଗୁରୁତର ଅବସ୍ଥାରେ ଶିଶୁକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଶିଶୁ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡି ଯାଇଥିବା ଦେଖିବାକୁ ମିଳିଛି ।
ପରିବାର ବର୍ଗଙ୍କ ସୂଚନା କହିବା ମୁତାବକ ରବିବାର ସକାଳେ ଅଗଣାରେ ଛୁଆ ଖେଳୁଥିଲା । ତା ପାଖରେ କେହି ନଥିଲେ । ଏକା ଥିଲା ଶିଶୁ । ତେବେ ଅଗଣାରେ ଥିବା ଚୁଲିରେ ଭାତ ବସାଇ ଦାଣ୍ଡପଟେ ଥିଲେ ପରିବାର ଲୋକ । ଛୁଆଟି ଗୁରୁଣ୍ଡି ଗୁରୁଣ୍ଡି ଯାଇ ଚୁଲିରେ ବସିଥିବା ହାଣ୍ଡି ଉପରେ ପଡିଯାଇଥିଲା । ଫଳରେ ଗରମ ପେଜ ଏବଂ ଭାତ ଉପରେ ପଡି ଯାଇଥିଲା । ଛୁଆ କାନ୍ଦିବା ଶୁଣିବା ପରେ ଧାଇଁ ଆସି ଦେଖିବା ବେଳକୁ ଶରୀରର ୪୦ ପ୍ରତିଶତ ପୋଡି ଯାଇଛି ।