ଝାରସୁଗୁଡା (ଏଟିଆର ବ୍ୟୁରୋ); ଶୁକ୍ରବାର ସକାଳୁ ବେଲପାହାଡ ନିକଟରେ ପୋଲିସ ଭ୍ୟାନକୁ ଧକ୍କା ଦେଇଥିଲା ଟ୍ରକ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହାତ ହୋଇଥିଲେ । ତେବେ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତ ଏବଂ ଆହାତଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ଆହାତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନମାନେ ହେଲେ ଦ୍ୱିତୀୟ ବାଟାଲିୟନର ଏସ.ପନ୍ଥ ଏବଂ ଦ୍ୱିତୀୟ ଏସଏସ ବାଟାଲିୟନର ପ୍ରସାନ୍ତ ବେହେରା । ଏବେ ତିନି ଜଣ ଯବାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି । ମୁଖ୍ୟମନ୍ତ୍ରୀ ଆହାତଙ୍କ ପାଖକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।
ସୂଚନା ଯୋଗ୍ୟ, ଶୁକ୍ରବାର ସକାଳ ୬ଟା ୩୦ ବେଳେ ମୁଖ୍ୟମନ୍ତ୍ରୀଙ୍କ ବନହରପାଲି କାର୍ଯ୍ୟକ୍ରମକୁ ସୁରକ୍ଷା ଦେବା ପାଇଁ ୪୦ ଜଣ ଯବାନ ଯାଉଥିଲେ । ବେଲପାହାଡ଼ଠାରେ ୪୯ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ଏକ ପୁଲିସ ଭ୍ୟାନକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ଦୁଇ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୪ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ବୁର୍ଲା ଭିମସାର ହସପିଟାଲରେ ଭର୍ତ୍ତି କରାଯାଇଛି ।