କଟକ (ଏଟିଆର ବ୍ୟୁରୋ); ପଦ୍ମଶ୍ରୀ ବିଜେତା ଡି ପ୍ରକାଶ ରାଓଙ୍କ ଚିକିତ୍ସା ମାଗଣାରେ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଲାପାଳ ଏବଂ ଏସସିବି ମେଡିକାଲ କତ୍ତୃପକ୍ଷ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ପ୍ରକାଶଙ୍କ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଯଦିଓ ପ୍ରକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତାଙ୍କୁ ଭେଷଜ ବିଭାଗରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଅନୁଗୁଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରକାଶଙ୍କ ମଙ୍ଗଳ କାମନା କରିଥିଲେ ସମସ୍ତ ଜନସାଧାରଣ । ତେବେ ପ୍ରଥମେ ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହୋଇଥିଲା । ଏବଂ ପରେ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି ।
ସମାଜ ସେବା କ୍ଷେତ୍ରରେ ପିଲାଟି ଦିନରୁ ମନ ବଳାଇଥିଲେ ପ୍ରକାଶ । ବକ୍ସି ବଜାରରେ ଏକ ଚା ଦୋକାନ ମଧ୍ୟ ସେ କରିଛନ୍ତି । ଏହି ଚା ଦୋକାନରୁ ଯାହା ଲାଭ ହୁଏ ସେ ବସ୍ତି ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିଥାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂରଦର୍ଶନରେ ପ୍ରସାରିତ ହେଉଥିବା ମନ କି ବାତରେ ପ୍ରକାଶଙ୍କୁ ପ୍ରଂଶସା କରିବା ପରେ ଲୋକ ଲୋଚନକୁ ଆସିଥିଲେ ସେ । ଏହାପରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରଷ୍କାର ଗ୍ରହଣ କରିଥିଲେ ।