ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଚେନ୍ ଭାଙ୍ଗିବା ପାଇଁ ବର୍ତ୍ତମାନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଲକଡାଉନ ହେତୁ ବୁଲା ଗାଇ ଗୋରୁ, କୁକୁର ଆଦି ପ୍ରାଣୀମାନେ ବାହାରେ ଖାଦ୍ୟ ନ ପାଇବାରୁ ଭୋକରେ ଆଉଟ ପାଉଟୁ ହେଉଛନ୍ତି । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ୫ ମହାନଗର ନିଗମ, ୪୮ଟି ମ୍ୟୁନିସିପାଲଟି ଓ ୬୧ଟି ଏନଏସିମାନଙ୍କୁ ୫୫ ଲକ୍ଷ ଟଙ୍କା ସହାୟତା ପାଇଁ ମଞ୍ଜୁର ପ୍ରଦାନ କରିଛନ୍ତି ।
ମଞ୍ଜୁର ହୋଇଥିବା ଏହି ରାଶିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ଦ୍ୱାରା ଗାଇ ଗୋରୁ କୁକର ଆଦିଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ନିର୍ଦ୍ଦେଶ ଅନୁଯାୟୀ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଦୈନିକ ୨୦ ହଜାର ଟଙ୍କା ଖର୍ଚ୍ଚକରିବ ସେହିପରି ରାଉଲକେଲା, ବ୍ରହ୍ମପୁର, କଟକ ଓ ସମ୍ବଲପୁର ମହାନଗର ନିଗମ ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରିବ । ଅନ୍ୟପଟେ ମ୍ୟୁନିସପାଲଟି ଗୁଡିକ ଦୈନିକ ୫ ହଜାର ଟଙ୍କା ଏବଂ ଏନଏସି କର୍ତ୍ତୃପକ୍ଷ ଦୁଇ ହଜାର ଟଙ୍କା ଦୈନିକ ଖର୍ଚ୍ଚ କରିବେ ।
ଚଳିତବର୍ଷ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠିରୁ ଦ୍ୱିତୀୟ ଥର ପାଇଁ ବୁଲା ପଶୁଙ୍କ ପାଇଁ ସହାୟତା ମଞ୍ଜୁର କରିଛନ୍ତି । ଏହାପୂର୍ବରୁ ଗତ ୯ ତାରିଖରେ ମଧ୍ୟ ୬୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ।