ନବରଙ୍ଗପୁର (ଏଟିଆର ବ୍ୟୁରୋ); ନିଲମ୍ବିତ ହେଲେ ଆଇଆଇସି । କୋଡିଙ୍ଗାରେ ପୋଲିସ ମାଡରେ ମୃତ୍ୟୁ ହୋଇଥିଲା ଜଣଙ୍କର । ଏହାକୁ ନେଇ ତିନି ଦିନ ହେବ ଲାଗି ରହିଥିଲା ତ୍ରିବ୍ର ଜନଅସନ୍ତୋଷ । ତେବେ ଆଜି ତାଙ୍କୁ ସସ୍ପେଣ୍ଡ କରିଛନ୍ତି ପୋଲିସ ଡିଜି ଆରପି ଶର୍ମା । ପୋଲିସ ହେପାଜତରେ ଥିବା ୨ ଜଣ ଅଭିଯୁକ୍ତଙ୍କ ପାଇଁ ନିୟମ ପାଳନ କରି ନ ଥିଲେ ଆଇଆଇସି ପୁଷ୍ପେନ୍ଦ୍ର ।
ସୂଚନା ଅନୁଯାୟୀ, ଗତ ଶନିବାର ଗତକାଲି ଖୁଟିଗୁଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ବଡ଼ପଞ୍ଜୁରିଆ ଗାଁର କମଳୁ ହରିଜନ ଓ ଖୁଟୁଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ପୁଲିସ୍ ଆସି ଗୋବର୍ଦ୍ଧନଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ ଯାଇଥିଲା। ପରଦିନ ସକାଳେ ଗାଁ ଲୋକେ କମଳୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଠାବ କରିଥିଲେ।
ଗୋବର୍ଦ୍ଧନଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ଥିବାରୁ ପୋଲିସ ତାକୁ ବିଶାଖାପାଟଣା ସ୍ଥାନାନ୍ତର କରିଥିଲା । କିନ୍ତୁ ବିଶାଖାପାଟଣା ନେବା ସମୟରେ ଗୋବର୍ଦ୍ଧନର ମୃତ୍ୟୁ ହୋଇଥିଲା । ଏହି ଖବର ତାଙ୍କ ପରିବାର ଲୋକ ଜାଣିବା ପରେ ଥାନାରେ ଗ୍ରାମବାସୀଙ୍କ ସହ ପହଞ୍ଚି ହୋ-ହଲ୍ଲା କରିଥିଲେ । ପୋଲିସ ବିରୋଧରେ ପୁରା ଗାଁ ଏକାଠି ହୋଇ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଇନ୍ ଶୃଙ୍ଖଳକୁ ଦୃଷ୍ଟିରେ ରଖି ବରିଷ୍ଠ ପୋଲିସ ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ତୁରନ୍ତ ଏନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୋମବାର ଉକ୍ତ କୋଡ଼ିଙ୍ଗା ଥାନା ଆଇଆଇସିଙ୍କୁ ସସ୍ପେଣ୍ଡ କରାଯାଇଛି ।