ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଉ ବେଶିଦିନ ରହିବାର ଚାନ୍ସ ନାହିଁ । ବଦଳି ଅର୍ଡର ଆସିଗଲାଣି । ଯାହା ହେବ ଏଇ ଦିନେ ଦୁଇଦିନ ଭିତରେ । ତେଣୁ ଚାଲିଛି ହେଭି କଲେକ୍ସନ । ଟାର୍ଗେଟରେ ରହିଛନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଲ୍ଡର ଓ ବ୍ୟବସାୟୀକ ପ୍ରତିଷ୍ଠାନ । ବିଶ୍ୱାସ ହେଉନଥିଲେ ମଧ୍ୟ କମିଶନରେଟ ପୁଲିସର କେତେକ ବାବୁମାନେ ବର୍ତ୍ତମାନ ଜୋରଦାର କଲେକ୍ସନରେ ମାତିଥିବା ଅଭିଯୋଗ ହୋଇଛି । ଅଚାନକ ବାବୁମାନଙ୍କ ଏଭଳି କଲେକ୍ସନ ନିଶା ବହୁ ବ୍ୟବସାୟୀଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି । କେବଳ ଏତିକି ନୁହେଁ ଧୂଳି ବସିଯାଇଥିବା ଫାଇଲକୁ ମଧ୍ୟ ଆଡେଇ କେଉଁ ହସ୍ତିମାନେ ରହିଗଲେ ତାହାର ଟିପ୍ପଣୀ ମଧ୍ୟ ଖେଜାଯାଉଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ ବରିଷ୍ଠ ଅଧିକାରୀ କିଛି ଜାଣିନାହାନ୍ତି ନା’ ସବୁଜାଣି ଚୁପ ରହୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।
ଆଉ ମାସକ ପରେ ଇଲେକ୍ସନ । ଏଥିପାଇଁ ବଦଳି ଛାଟ ଅଫିସରଙ୍କ ଉପରେ ପଡିଛି । ସେ ଥାନାର ଏଏସଆଇ ହୁଅନ୍ତୁ ଅବା ଥାନା ଅଧିକାରୀ । ସମସ୍ତଙ୍କୁ ଜାଗା ଛାଡିବାକୁ କୁହାଯାଇଛି । ହେଲେ ର୍ଦୁଭାଗ୍ୟ, ଥାନାର ଯେଉଁମାନେ କଲେକ୍ସନ ଏଜେଣ୍ଟ ସେମାନେ କିନ୍ତୁ ଗାଦିମାଡି ବସିଛନ୍ତି । ସେପଟେ ଏମାନଙ୍କ ବିରୋଧରେ ବିଭିନ୍ନ ପୁଲିସ ପବ୍ଲିକ ମିଟିଂରେ ଖୋଲାଖୋଲି ଅଭିଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ଉପରେ ଏଯାବତ୍ ନିଆଯାଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ । ଯାହା କମିଶନରେଟ ପୁଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଉଦାହରଣ ସ୍ୱରୂପ ଚନ୍ଦ୍ରଶେଖରପୁର ଥାନାରେ ଥିବା ଜଣେ ବାବୁ ପାସପୋର୍ଟ ପାଇଁ ଲାଞ୍ଚ ମାଗି ସ୍କାନରକୁ ଆସିଥିଲେ । ଏବେ ସେ ମଧ୍ୟ ଗାଦି ମାଡିବସିଛନ୍ତି । ବଦଳି ଛାଟ ତାଙ୍କୁ ଛୁଇଁ ପାରିନାହିଁ । ଚର୍ଚ୍ଚା ହେଉଛି ଏବେ ସେ ମଧ୍ୟ ଭରା କଲେକ୍ସନରେ ମାତିଲେଣି ।
କେବଳ ଚନ୍ଦ୍ରଶେଖରପୁର କାହିଁକି ମଞ୍ଚେଶ୍ୱର, ଖାରବେଳନଗର, ନୟାପଲ୍ଲୀ, ସହିଦନଗର, ଇନଫୋସିଟି ଏପରିକି ଚନ୍ଦକା ଓ ନନ୍ଦନକାନନରେ ଢ଼େରଦିନ ହେବ ଆସ୍ଥାନ ଜମାଇଥିବା ଏଭଳି କେତେକ ବାବୁ ଭୋଟ ସମୟରେ ମାଲ କମାଇବାକୁ ଅଣ୍ଟା ଭିଡିଥିବା ଲୋକେ ଅଭିଯୋଗ କରିଛନ୍ତି । ସିଧା କହିବାକୁ ଗଲେ ଏମାନେ ଥାନାରେ କୋର୍ଟର କାମ କରି ସାଧାରଣ ଲୋକଙ୍କ ତଣ୍ଟି ଚିପି ଭରା ପିସି କାରବାର ଚଳାଇଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଥାନା ଅଧିକାରୀଙ୍କୁ(ଅଗକୁ) ସିନା ପୁଲିସ କମିଶନର ମୋଡି ଦେଲେ(ବଦଳି କଲେ) ହେଲେ ଚେର ଉପାଡିବାକୁ ସାରଙ୍କୁ କେତେ ସମୟ ଲାଗୁଛି ତାହା ଦେଖିବାର ରହିଲା….ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍