ଭୁବନେଶ୍ୱର,(ଏଟିଆରବ୍ୟୁରୋ): ବିଚ ରାସ୍ତାରେ ଠେଲା ଗାଡିର ଲମ୍ବା ଲାଇନ୍ । ଫୁଟପାଥ ଉପରେ ଅଙ୍ଗୁରୁ ଆପେଲ ଠୁ ନେଇ କଦଳି ଓ ଜୋତାର ପସରା । ଓଭରବ୍ରିଜ୍ ବି ଏଥିରୁ ବାଦ ପଡୁନି । ସବୁଠି ମାତିଛନ୍ତି ଉଠା ବେପାରୀ । ସେଥିରେ ପୁଣି ରାତାରାତି ରାସ୍ତା ଉପରେ ଠିଆ ହୋଇଯାଉଛି ଅଘୋଷିତ ଷ୍ଟାଣ୍ଡ । କେଉଁଠି ଅଟୋ ତ’ ପୁଣି କେଉଁଠି ଟ୍ୟାକ୍ସି ଷ୍ଟାଣ୍ଡର ପୋଷ୍ଟର ଝୁଲୁଛି । ଯାହାର ପରିଣାମ ଭୋଗୁଛନ୍ତି ରାଜଧାନୀ ବାସୀ । ସକାଳୁ ରାତି ଯାଏଁ ଟ୍ରାଫିକରେ ପେଶି ହୋଇ ଅଣନିଶ୍ୱାସୀ ହୋଇପଡୁଛନ୍ତି । ଏସବୁ କିନ୍ତୁ ଟ୍ରାଫିକ୍ ପୁଲିସ ଆଖିକୁ ଦେଖାଯାଉନି । ସବୁ କଥା ଭୁଲି ପୂରା ଟ୍ରାଫିକ୍ ଫୋର୍ସ କେବଳ ମାତିଛି କଲେକ୍ସନରେ ।
ସିଧା କହିବାକୁ ଗଲେ କେଉଁ ଛକରେ ଭରା ମାଲ ମିଳିବ ସେହି ଚକ୍କରରେ ରହୁଛି ଟ୍ରଫିକ ପୁଲିସ । ରାଜମହଲ ଛକ । ସହରର ଅନ୍ୟତମ ବ୍ୟସ୍ତବହୁଳ ଛକ । ଆଖି ପିଛୁଳାକେ ଚାରିଆଡୁ ଗାଡିମୋଟର ଛୁଟୁଛି । ହେଲେ ଏଠାରେ ହିଁ ଟ୍ରାଫିକ ଅବସ୍ଥା ପୂରା ବେହାଲ । ଲାଗୁଛି ଓଭରବ୍ରିଜ୍ ପରଠୁ ହିଁ ସତେ ଯେମିତି ହାତ ଟେକି ଦେଇଛି ଟ୍ରାଫିକ୍ । ଓଭରବ୍ରିଜ୍ ପରେ ରାସ୍ତା ଚଉଡା ହୋଇଛି ସତ କିନ୍ତୁ ଲୋକଙ୍କ ଦୁଃଖ ବଳିଯାଇଛି । ବଢ଼ିଚାଲିଛି ବେଆଇନ ପାର୍କିଂ । ଅଟୋ ଟ୍ୟାକ୍ସି ଚାଳକ ପୂରା ଛକକୁ ଦଖଲ କରି ନେଇଛନ୍ତି । ଅବଶ୍ୟ ଓଭରବ୍ରିଜ୍ ତଳେ ଟ୍ରାଫିକ୍ ପୁଲିସ ଡେରା ପକାଉଛି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସମସ୍ୟାର ସମାଧାନ ନୁହେଁ ବରଂ ହେଲମେଟ ଓ ସିଟବେଲ୍ଟ ନାଁରେ ଟଙ୍କା କଲେକ୍ସନ ଲାଗି । କେବଳ ରାଜମହଲ ନୁହେଁ ବାଣୀବିହାରୁ ଶିଶୁଭବନ ଯାଏଁ ପୂରା ଜନପଥରେ ଏଥିପାଇଁ ଅବସ୍ଥା ବିଗିଡିଯାଇଛି । ରାଜମହଲରେ ଫୁଟପାଥ ନଥିବା କହିଲେ ଚଳେ । ଏଠାରେ ଉଠା ଦୋକାନୀଙ୍କ ପାର୍ଦୁଭାବ ଢ଼େର ଅଧିକ ।
ସେମାନେ ଏକରକମ ପୂରା ଫୁଟପାଥକୁ କବଜା କରି ରଖି ବେପାର ଚଳାଇଛନ୍ତି । ତାଙ୍କ ପାଖକୁ ଆସୁଥିବା ଗ୍ରାହକ ବି ରାସ୍ତାରେ ଗାଡି ଠିଆ କରି କିଣାକିଣି କରିବା ଘଟଣା ତ’ ଟ୍ରାଫିକ୍ ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି । ଯାହା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ୧ନମ୍ବର ହାଟ ରାସ୍ତା ସାମ୍ନା କଥା ନକହିବା ବୋଧେ ଭଲ । ଏଠାରେ ଅଧା ରାସ୍ତାକୁ ଉଠା ଦୋକାନୀ ଓ ପାର୍କିଂ ଗିଳି ଦେଇଛି । ସନ୍ଧ୍ୟାରେ ଏହି ରାସ୍ତାରେ ଥରେ ଫସିଗଲେ ବାହାରିବା ମୁସ୍କିଲ । ଏ କଥା ନୁହେଁ ଯେ, ଟ୍ରାଫିକ୍ ଏ ସମ୍ପର୍କରେ କିଛି ଜାଣିନି । ବରଂ ମଝିରେ ମଝିରେ କ୍ରେନ ଲଗାଇ ଗାଡି ଉଠାଇ ନେଇଛି । ହେଲେ ଗତ ୬ମାସ ହେବ ଗାଡି ଟେକା ଅଭିଯାନରେ ବ୍ରେକ ଲାଗିଛି । ମାର୍କେଟ ବିଲ୍ଡିଂ ଚାରିପଟ ଅବସ୍ଥା ଆହୁରି ସଗିଂନ୍ । ଚାଲିକି ଯିବା ବି କାଠିକର ପାଠ ।
ଜୟଦେବିହାର, ନାଲକୋ, ଡମଣା, ପଟିଆ, ସହିଦନଗର, ବୋମିଖାଲ, ବରମୁଣ୍ଡା ଆଦି ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା । କର୍ମଚାରୀ ଅଭାବରୁ ହିଁ ସମସ୍ୟା ମୁଣ୍ଡ ଟେକୁଥିବା କଥା ସ୍ୱୀକାର କରୁଛନ୍ତି ଖୋଦ୍ ବିଭାଗୀୟ କର୍ତ୍ତୃପକ୍ଷ । ଏଠି ପ୍ରଶ୍ନ ଉଠିବା ସ୍ୱଭାବିକ ଫାଇନ କଥା ପଡିଲା ବେଳକୁ ଫୋର୍ସ ଆସୁଛି କେଉଁଠୁ? ସିଧା କହିବାକୁ ଗଲେ ଟ୍ରାଫିକ୍ ପୁଲିସକୁ ଏବେ ଗୋଟିଏ ନିଶା ଘାରିଛି ମାଲ କମାଇବାର । ଏ ସମ୍ପର୍କରେ ଟ୍ରାଫିକକୁ ଯୋଗାଯୋଗ କରିବାରୁ ଏସବୁ ବିଏମସି ଦାୟିତ୍ୱ କହି ମୁଣ୍ଡରୁ ଦୋଷ ଖସାଉଥିବା ବେଳେ ବିଏମସି ବି ଟ୍ରାଫିକ୍ ଦାୟିତ୍ୱ କହି ଦୋଷ ମୁଣ୍ଡାଇବାକୁ ନାରାଜ ।
ଅଭିଯୋଗ ହୋଇଛି ଫାଇନ୍ କଟା ନିଶା ମୁଣ୍ଡରୁ ଖସିଲେ ଏସବୁର ସମାଧାନ ହେବ । ସୂଚନାଯୋଗ୍ୟ, ବିନା ନମ୍ବର ପ୍ଲେଟ ଗାଡି ହେଉ ଅବା ବିନା ହେଲମେଟ, ଚୋରା ଗାଡି ହେଲେ ବି ଚଳିବ । କାରଣ ଟ୍ରାଫିକ ପୁଲିସର ଏବେ ଗୋଟିଏ ନିଶା ଫାଇନ୍ ଫାଇନ୍ ଆଉ ଫାଇନ । ଲାଗୁଛି ସତେ ଯେମିତି ଏହି ଫାଇନ୍ ହିଁ ଟ୍ରାଫିକ୍ ପୁଲିସ କ୍ୟାରିୟରକୁ ସାଇନିଂ କରୁଛି ।