ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍କୁଲ ପିଲାଙ୍କର ବ୍ୟାଗର ଓଜନ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗୁଥିବା ବେଳେ ଏହାଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି । ବସ୍ତାନି ବୋଝ ନିୟମକୁ ନେଇ ଗାଇଡଲାଇନ କରାଯାଇଥିଲେ ମଧ୍ୟ ବିଦ୍ୟାଳୟରେ ଏହା ଯେପରି କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି । ଏହାଛଡା ପୂର୍ବରୁ ଦୁଇ ଦୁଇଥର ସମସ୍ତ ବିଦ୍ୟାଳୟକୁ ଚିଠି ହୋଇଥିଲେ ବି ରିପୋର୍ଟ ଦାଖଲ ହେଉନଥିବାରୁ ଏବେ ରାଜ୍ୟ ସରକାର ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ।
ତେବେ ଆସନ୍ତା ଫେବୃଆରୀ ୨୦ ସୁଦ୍ଧା ସବୁ ଜିଲ୍ଲାର ଜିଲ୍ଲାପାଳ ପିଲାଙ୍କ ବସ୍ତାନି ବୋଝ ଯାଞ୍ଚ ରିପୋର୍ଟ ଦାଖଲ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସୂଚନାନୁଯାୟୀ ପୂର୍ବରୁ ବିଦ୍ୟାଳୟ ଗୁଡିକୁ ବସ୍ତାନି ଯାଞ୍ଚ କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିବା ସତ୍ୱେ ଏହା ଉପରେ ବିଦ୍ୟାଳୟ ଗୁଡିକ ଧ୍ୟାନ ଦେଇନଥିଲେ । ସେହିପରି ଏନେଇ ଗଠନ କରାଯାଇ ଥିବା ସ୍କାଡ ବସ୍ତାନି ଓଜନ ଯାଞ୍ଚ କରି ରିପୋର୍ଟ ମଧ୍ୟ ଦାଖଲ କରିନଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶ ନାମା ଜାରି କରାଯାଇଛି । ବିଦ୍ୟାଳୟ ଗୁଡିକରେ ବସ୍ତାନି ବୋଝ ଗାଇଡ ଲାଇନ ସଠିକ ପାଳନ ହେଉଛି କି ନାହିଁ ସେନେଇ ରିପୋର୍ଟ ପ୍ରଦାନ କରିବେ ଜିଲ୍ଲାପାଳ । ବୋଝେଇ ଆଇନ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦେଢ କେଜିରୁ କମ ଓଜନ ରହିବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୨ରୁ ୩କେଜି ବ୍ୟାଗ ଓଜନ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୪କେଜିରୁ କମ ରହିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।