ରାଉରକେଲା ( ଏଟିଆର ବ୍ୟୁରୋ): ରାଉରକେଲା ଆରଆଇଟି କଲେଜରେ ଉତ୍ତଜନା ଦେଖା ଦେଇଛି । କଲେଜ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏମିତି କି କଲେଜ ଗେଟରେ ତାଲା ପକାଇ ଅଧ୍ୟାପକ ଅଧ୍ୟାପିକାଙ୍କୁ ବାହାରେ ଅଟକାଇ ରଖିଛନ୍ତି । ସୂଚନା ଅନୁସାରେ ଉପସ୍ଥାନ କମ ରହିଥିବାରୁ ପିଲାମାନଙ୍କୁ ପରୀକ୍ଷା ଦେବାରୁ ବାଦ ଦିଆଯାଇଥିବାରୁ ଏହି ଅଶାନ୍ତି ସୃଷ୍ଟି ହୋଇଛି । ଚଳିତ ବର୍ଷ ଶିକ୍ଷା ବିଭାଗର ନୂଆ ନିୟମ ଅନୁସାରେ କଲେଜରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ରହିବା ବାଧ୍ୟତା ମୂଳକ କରାଯାଇଛି । ଯାହାକୁ କଲେଜ ପକ୍ଷରୁ ୪୦ ପ୍ରତିଶତ କରାଯାଇଥିଲେ ମଧ୍ୟ ଅନେକ ପିଲାଙ୍କ ଉପସ୍ଥାନ ଏହା ଠାରୁ କମ ରହିଛି ।
ଯାହଫଳରେ ଅନେକ ଛାତ୍ରଛାତ୍ରୀଙ୍କୁ କଲେଜ ପରୀକ୍ଷା ଦେବାରୁ ବଞ୍ଚିତ କରିଛି । ଯାହାକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ରହିଛି କଲେଜରେ ଲାଗିଥିବା ବାୟୋମେଟ୍ରିକ ମେସିନ ଖରାପ ରହିଛି । ଯାହା ଫଳରେ ଏହି ସମସ୍ୟା ଦେଖା ଦେଇଛି । ଏନେଇ ଆମେ ଅନେକ ଥର କଲେଜ କତ୍ତୃପକ୍ଷଙ୍କୁ ଅବଗତ କରାଇଥିଲୁ ମାତ୍ର କତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ତେଣୁ କଲେଜ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦେଉ ।