ଭୁବନେଶ୍ୱର (ଏଟିଆର ବ୍ୟୁରୋ): କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହେବ । ଏବେ ‘ପୋଲିସ ସେବା ଭବନ’ ନାମରେ ନାମିତ ହେବ କମିଶନରେଟ ପୋଲିସ ମୁଖ୍ୟାଳୟ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଘୋଷଣା କରିଛନ୍ତି । କମିଶନରେଟ ପୋଲିସର ୧୨ବର୍ଷ ପୂର୍ତ୍ତି ଅବସରରେ ଏନେଇ ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଅନ୍ୟପଟେ ପ୍ରତିଷ୍ଠା ଦିବସ ଅବସରରେ ‘ଏସପିଓ ୟୁନିଟ’ର ଶୁଭାରମ୍ଭ କରାଯାଇଛି । ୩୦୦ ମହିଳାଙ୍କୁ ନେଇ ଡିଜିପି ଅଭୟ ଏହାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ସମୟରେ ଡିଜିପି ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି, ପୋଲିସ ବିଭାଗ ମୋ ସରକାର ଅଧିନରେ ଆସିବା ଦିନଠାରୁ ଲୋକଙ୍କର ଭଲ ଫିଡବ୍ୟାକ ମିଳୁଛି । ପୋଲିସ କଠିନ ପରିଶ୍ରମ କରୁଛି ଓ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଉଛି । ଅନ୍ୟପଟେ ମଜବୁତ ସୁରକ୍ଷା ପାଇଁ ଟ୍ୱିନସିଟିରେ ୟୁନିଫାଏଡ୍ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି । ଗତ ବୁଧବାର ଦିନ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ନୂତନ ବର୍ଷ ୨୦୨୦ କମିଶନରେଟ ପୋଲିସ ପାଇଁ ୪ଟି ମୁଖ୍ୟ ଚ୍ୟାଲେଞ୍ଜ ରହିବ ।
ସେହି ଚ୍ୟାଲେଞ୍ଜ ଗୁଡିକ ହେଲା, ୧- ସଂଗଠିତ ଅପରାଧ ଦମନ ସହ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ । ୨- ଟ୍ୱିନ ସିଟିରେ ଇଲୋକ୍ଟ୍ରୋନିକ ସରଭିଲାନ୍ସ କଡାକଡି କରାଯିବ । ୩- ଅନ୍ୟ ପଟେ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ଏବେ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏହାକୁ କଡାକଡି କରାଯିବ । ଟେକ୍ନୋସେଭି ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯିବ । ୪- କମିଶନରେଟ ପୋଲିସର ସ୍ଲୋଗାନ ‘ଉଚ୍ଚ କେୟାର ଉଚ୍ଚ ଡେୟାର’ କୁ ପରିବର୍ତ୍ତନ କରାଯାଇ ‘ ଆପଣଙ୍କ ପୋଲିସ ଆପଣଙ୍କ ପାଇଁ ଉଦ୍ଦିଷ୍ଟ’ ରଖାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।